ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ରାଜନୀତିରେ “ୟୁଜ ଆଣ୍ଡ୍ ଥ୍ରୋ” କରୁଛି: ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୩୦/୧୦: ଏସ୍‌ଏଚଜି ମହିଳାମାନଙ୍କୁ ବିଜୁ ଜନତା ଦଳ ଅସ୍ତ୍ର କରି ଧାମନଗର ଉପନିର୍ବାଚନ ପାରହେବାର ଅପଚେଷ୍ଟା କରୁଛି । ଧାମନଗର ଉପନିର୍ବାଚନ ମଇଦାନରେ ମିଶନଶକ୍ତିର ମା’ମାନଙ୍କ ମାଧ୍ୟମରେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଂଟିବାର ଦାୟିତ୍ୱ ଦେଇ ପରୋକ୍ଷରେ ମା’ମାନଙ୍କୁ ଅପରାଧୀ ସଜାଉଛି ବିଜେଡି । ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର ସିଆର୍‌ପି, ଏମ୍‌ବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ଆଦର୍ଶ ଆଚରଣ ବିଧିର ଉଲଘଂନ କରୁଛି ବିଜୁ ଜନତା ଦଳ । ପୂର୍ବରୁ ୨ଜଣ ସରକାରୀ କର୍ମଚାରୀ ନିୟମ ଉଲଘଂନ କରି ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଥିବାରୁ ସେମାନଙ୍କୁ ଚାକିରିରୀରୁ ନିଲମ୍ବିତ କରାଯାଇଛି । ପୁଣି ଆଜି ବିଜେଡି ତିହିଡି ବ୍ଳକର ପାଳିଆବିନ୍ଧା ଗାଁର ରାମାନୁଜ ଏସଏଚଜି ଗ୍ରୁପ୍‌ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁଙ୍କୁ ୪ହଜାର ଟଙ୍କା ଦେଇଥିବାର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଶ୍ରୀମତୀ ସାହୁ କହୁଛନ୍ତି ଯେ, “ ମୋତେ ୪ହଜାର ଟଙ୍କା ବିଜେଡି ଦେଇଛି ୧୨ଜଣ ସଦସ୍ୟାଙ୍କ ଭିତରେ ବାଂଟିବା” ଲାଗି । ଏଥିରୁ ସ୍ପଷ୍ଟ ହେଉଛି ନୀରିହ ଏସ୍‌ଏଚଜି ମା’ମାନଙ୍କୁ ବିଜେଡି ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଛି । ଏନେଇ ବିଜେପିର ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି ।
ପ୍ରକାଶଥାଉ କି, ଏସ୍‌ଏଚଜି ମହିଳାମାନେ ଜାଣିପାରୁନାହାନ୍ତି ଯେ, ବିଜେଡି ସେମାନଙ୍କ ବେକରେ ଦଳୀୟ ଉତରୀୟ ପିନ୍ଧାଇ ଟଙ୍କା ଦେଇ ଦଳର ପ୍ରଚାର କରୁଛି । ଯେତେବେଳେ ଏସଏଚ୍‌ଜି ମହିଳାମାନେ ଧରାପଡୁଛନ୍ତି ସେତେବେଳେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ କହୁଛନ୍ତି ସେମାନେ ବିଜେଡିର ନୁହନ୍ତି । ଏସ୍‌ଏଚଜି ମହିଳାମାନଙ୍କ ଦ୍ୱାରା ଶାସକ ଦଳ ଅପରାଧ କରାଉଛି । ଏସଏଚଜି ମହିଳାମାନେ ଜାଣିରଖିବା ଦରକାର ବିଜୁ ଜନତା ଦଳ ସେମାନଙ୍କୁ ରାଜନୈତିକ ଅପରାଧିକ କାର୍ଯ୍ୟରେ “ୟୁଜ୍ ଆଣ୍ଡ୍ ଥ୍ରୋ”କରୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଧାମନଗରରେ ବିଜେଡିର ଅନୈତିକ କାର୍ଯ୍ୟ ଲାଗି ବିଜେପି ପ୍ରମାଣ ସହ ସିଇଓ ଅଫିସରେ ଅଭିଯୋଗ କରୁଛି । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ, ଶାସକ ବିଜେଡି ବିନା ପ୍ରମାଣରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ପତ୍ର ଦେଉଛି । ଯଦି ଶାସକ ବିଜେଡି ପାଖରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ବିଧି ଉଲଘଂନ କରିବାର ଭିଡିଓ କିମ୍ବା ଫଟୋ ଅଛି ତାହାଲେ ସିଇଓଙ୍କୁ ପାଖରେ ଦାଖଲ କରୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ବିଜେଡି ସରକାର ବିନା ପ୍ରମାଣରେ ସିଇଓଙ୍କୁ ପାଖକୁ ଆସି ପ୍ରହସନ କରୁଛି । ଶାସକ ଦଳ ବାଦରେ ସିଇଓ ଅଫିସ ଆସିଲେ ରାଜନୀତି ହୁଏ ନାହିଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ବିଜେଡି ଅନୈତିକ କାର୍ଯ୍ୟରୁ ନିବୃତ ରହୁ । ଏସ୍‌ଏଚଜି ମହିଳାମାନେ ବିଜେଡିର କଥାରେ ଭୋଟରଙ୍କୁ ଟଙ୍କା ବାଂଟିବାରୁ ନିବୃତ ରୁହନ୍ତୁ ଓ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ଓ କଡା ସୁରକ୍ଷା ବଳୟରେ କରିବାକୁ ସିଇଓଙ୍କୁ ଡ.ଲେଖାଶ୍ରୀ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଓ ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love