CWC ବୈଠକରେ ନୂଆ ଅଧ୍ୟକ୍ଷ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ଫଳାଫଳ କଂଗ୍ରେସକୁ ଭିତରୁ ଦୋହଲାଇ ଦେଇଛି । ଅସନ୍ତୁଷ୍ଟ ଜି ୨୩ ଗ୍ରୁପ ସକ୍ରିୟ ହୋଇ ଉଠିଛନ୍ତି । ଶୀଘ୍ର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହା ମଧ୍ୟରେ ଖବର ଆସିଛି ଯେ, ରବିବାର ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି(CWC)ର  ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ରାଜ୍ୟରେ ପାର୍ଟିର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଇ ପାରନ୍ତି ।

 ଅନ୍ୟପଟେ ଦଳରେ ଶୋଚନୀୟ ପରାଜୟ ପରେ ପୁଣି ଆକ୍ଟିଭ୍ ହୋଇଯାଇଛନ୍ତି ଅସନ୍ତୁଷ୍ଟ ନେତା । ଜି-୨୩ ନାଁରେ ଜଣାଥିବା ଏହି ନେତାମାନେ ଏବେ ପୁଣି ଏକାଠି ହୋଇ ଅସନ୍ତୋଷ ଜାହିର କରିବା ସହିତ ନେତୃତ୍ୱ ବଦଳାଇବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ୨୦୨୦ରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଚିଠି ଲେଖିଥିଲେ ଜି-୨୩ ନେତା । କଂଗ୍ରେସ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେଇଥିଲେ । ମାତ୍ର ଏଥର ମଧ୍ୟ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଦଳ ୟୁପିରେ ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ କରିବାକୁ ପଡିଛି । ପାର୍ଟି ପ୍ରଦର୍ଶନରେ ନିଜକୁ ନୈତିକ ଦାୟୀ କରି ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା CWC ପଦର ଇସ୍ତଫା ଦେଇ ପାରନ୍ତି । ସୋନିଆ ଏବଂ ରାହୁଲ ପଦ ଛାଡିବାର ପ୍ରସ୍ତାବ ପ୍ରଥମ ଥର ଦେଉ ନାହାନ୍ତି । ଦୁଇ ନେତା ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ CWC ବୈଠକରେ ଏହା ଖାରଜ ହୋଇଥିଲା । ସେହି ସମୟରେ ବି ପାର୍ଟିର ଖରାପ ପ୍ରଦର୍ଶନ ଯାଞ୍ଚ ପାଇଁ ଏକେ ଆେଂଟାନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପାର୍ଟିର ନିରାଶଜନକ ପ୍ରଦର୍ଶନ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେଠୁ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

Spread the love