ଚାକିରି ଆଶାରେ ଗଡିଗଲା ବୟସ, ପେଟପାଟଣା ପାଇଁ ପାଇପ ମିସ୍ତ୍ରୀ ପାଲଟିଲେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି

ରାଉରକେଲା,୧୩/୦୫: ପାଇପ ମରାମତି କାମ କଲେ ଘର ଚଳେ । ଦୈନିକ ୨୦ରୁ ୩୦ କିଲୋମିଟର ଦୂରକୁ ଯାଇ କାମ କରନ୍ତି । ଖେଳ ଛାଡ଼ିବା ପରେ ଚାକିରି ଆଶାରେ ବୟସ ଗଡ଼ିଗଲା । ବୟସ ଏବେ ୫୦ ଛୁଇଁଲାଣି । ପେନସନ୍‌ ମଧ୍ୟ ମିଳୁନାହିଁ । କିଛି ରୋଜଗାରର ପନ୍ଥା ନପାଇ ଶେଷରେ ପାଇପ ମିସ୍ତ୍ରୀ କାର୍ଯ୍ୟକୁ ଆପଣେଇ ନେଲେ । ଦୈନିକ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳୁଛି । ଅସୁସ୍ଥତା ଯୋଗୁ କାର୍ଯ୍ୟକୁ ଯାଇ ନପାରିଲେ ପରିବାରର ଅବସ୍ଥା ଶୋଚନୀୟ ହୋଇପଡ଼େ । ସେ ହେଉଛନ୍ତି ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତୁଳସୀ ଏକ୍କା ।

ରାଉରକେଲା ନିକଟସ୍ଥ କଣ୍ଟାଝର ବରଟୋଲିରେ ରହୁଛନ୍ତି ସ୍ୱର୍ଗତ ମାନୁ ଏକ୍କା ଓ ତାଙ୍କ ପତ୍ନୀ ସ୍ୱର୍ଗତ ସୁଗି ଏକ୍କାଙ୍କ ପରିବାର । ତାଙ୍କ ସବା ସାନ ପୁଅ ହେଲେ ତୁଳସୀ । ୧୯୭୦ ମସିହାରେ ତାଙ୍କର ଜନ୍ମ । ପିଲାଟି ଦିନରୁ ଫୁଟବଲ ଖେଳ ପ୍ରତି ଥିଲା ତାଙ୍କର ଆଗ୍ରହ । ହମିରପୁର ହାଇସ୍କୁଲରେ ସେ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟସ୍ତରରେ ହେଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିଲେ ।

ତାଙ୍କ ଖେଳ ଦେଖି ଶିକ୍ଷକମାନେ ତାଙ୍କୁ ଅଧିକ ଅଭ୍ୟାସ କରିବା ଲାଗି କହିଥିଲେ । ଫଳରେ ତୁଳସୀ ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଗଲେ । ସେଠାରେ ତାଙ୍କୁ କୋଚ୍‌ ନିନା ପଟ୍ଟନାୟକ ଓ କିଶୋର ଦାସ ପ୍ରଶିକ୍ଷଣ ଦେଇଥିଲେ । ମାଟ୍ରିକ୍‌ ପାସ କରିବା ପରେ ଅର୍ଥ ଅଭାବରୁ ତାଙ୍କ ପାଠ ପଢ଼ାରେ ଲାଗିଥିଲା ଡୋରି । ମାତ୍ର ଖେଳକୁ ସେ ଛାଡ଼ି ନଥିଲେ ।

ମାତ୍ର ୧୯ ବର୍ଷ ବୟସରେ ଅର୍ଥାତ୍‌ ୧୯୮୯ ମସିହାରେ ତୁଳସୀ ସନ୍ତୋଷ ଟ୍ରଫି ଖେଳିଥିଲେ । କଟକରେ ଖେଳିବା ସହ ଅନ୍ତଃ ଇସ୍ପାତ କାରଖାନାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିଛନ୍ତି । ସେ କହନ୍ତି, ‘୧୦ରୁ ୧୨ ଥର ଅନ୍ତଃ ଇସ୍ପାତ କାରଖାନା ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳିଛି । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି । ଜୟ ଦୁର୍ଗା କ୍ଲବ ପକ୍ଷରୁ ମଧ୍ୟ ଖେଳିଛି । ଖେଳିବା ସହ ଚାକିରି ପାଇଁ ଅନେକଥର ଆବେଦନ କରି ଏ ଅଫିସରୁ ସେ ଅଫିସକୁ ଦୌଡ଼ିଲି । ହେଲେ କିଛି ଲାଭ ହେଲା ନାହିଁ । ଚାକିରି ଆଶାରେ ବୟସ ଗଡ଼ି ଚାଲିଲା । ଶେଷରେ ନିରାଶ ହୋଇ ପାଇପ ମିସ୍ତ୍ରୀ କାମକୁ ଆଦରି ନେଲି ।’

ସକାଳ ହେବା ମାତ୍ରେ କେଉଁ ଦିନ ସାଇକଲ ତ ଆଉ କେଉଁ ଦିନ ବାଇକ୍‌ ଧରି କାମକୁ ବାହାରି ଯାଆନ୍ତି । ବର୍ତ୍ତମାନ ସେ ରାଉରକେଲାରୁ ପ୍ରାୟ ୨୫ରୁ ୩୦ କିଲୋମିଟର ଦୂର ଲାଠିକଟାକୁ ଯାଉଛନ୍ତି କାମ କରିବା ଲାଗି । ଘରେ ତାଙ୍କ ପତ୍ନୀ ଓ ଏକ ମାତ୍ର ଝିଅ । ଝିଅ ସ୍କୁଲରେ ପାଠ ପଢ଼ୁଛି । ‘ଘର ଚଳାଇବା ଲାଗି କିଛି ତ କାମ କରିବାକୁ ପଡ଼ିବ ବୋଲି କୁହନ୍ତି ତୁଳସୀ ।

Spread the love