ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଜେଡିର ବନ୍ଦ ଡାକରା

ଚାନ୍ଦବାଲି ରେ ଘଟିଥିବା ଦିବ୍ୟାଙ୍ଗ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ବୁଧବାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ ଚାନ୍ଦବାଲିରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ବିଜେଡି ଅଭିଯୋଗ କରିଛି । ବିଧାୟକ ଡ.ବ୍ୟୋମକେଶ ରାୟ ଉକ୍ତ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ସ୍ପର୍ଶକାତର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବାସହ ପୁଲିସ ଉପରେ ବର୍ଷିଛନ୍ତି । ଥାନା ଠାରୁ ମାତ୍ର ୫ଶହ ମିଟର ଦୂରରେ ଏହି ଘଟଣା ଘଟିଥିଲେ ବି ପୁଲିସ ତରଫରୁ ଯେତିକି ସଜାଗ ହେବା କଥା ହୋଇ ନ ଥିଲା, ତେଣୁ ଏଭଳି ଘଟଣା ଘଟିଲା ବୋଲି ସେ ପ୍ରକାଶ କରିଥିଲେ । ନିକଟରେ ରାଜ୍ୟର ଗୋପାଳପୁର, ଧଉଳି, ବାଲି ହରଚଣ୍ଡୀ, ଭୁବନେଶ୍ୱର ଠାରେ ଏଭଳି ଘଟଣା ଘଟିଥିଲେ ବି ପୁଲିସ ଆଇନ ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଥିବା ସେ ପ୍ରକାଶ କରିଥିଲେ । ଚୋରା ମଦ କାରବାର, ଗଞ୍ଜେଇ, ଡ୍ରଗ୍ସ, ଭଳି ନିଶା ଦ୍ରବ୍ୟ ର ଅବାଧ କାରବାର ଚାଲିଥିଲେ ବି ଉଭୟ ପୁଲିସ ଓ ଅବକାରୀ ବିଭାଗ ଆଖି ବୁଜି ଦେଇଥିବାରୁ ଏଭଳି ଘଟଣା ଘଟିଥିବା ସେ ଅଭିଯୋଗ କରିଥିଲେ । ତେଣୁ ଏହି ସ୍ପର୍ଶକାତର ଘଟଣାରେ ଦଳ ଉଦ୍‌ବେଗ ପ୍ରକାଶ କରିବା ସହ ଗୁରୁବାର ଦଳ ତରଫରୁ ୬ ଘଣ୍ଟିଆ ଚାନ୍ଦବାଲି ବ୍ଲକ ପାଳନ କରିବାକୁ ଘୋଷଣା କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ସଭାପତି ପ୍ରତାପ ଚନ୍ଦ୍ର ଧଳ, ନଗର ସଭାପତି ଦିଜ୍ୱବର ରାଉତ, ଏନ୍ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବ୍ଲକ ଅଧ୍ୟକ୍ଷା ମିନତି ସୁତାର, ଉପାଧ୍ୟକ୍ଷ ସରୋଜ ବଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ ବରିଷ୍ଠ ନେତା ନରେଶ ମାଝୀ, ଶରତ ସାହୁ, ଚିତ୍ତରଞ୍ଜନ ସୁତାର, ଯୁବ ନେତା ଜିତେନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love