ଚନ୍ଦନେଶ୍ବର ଚଡ଼କମେଳା: ୨ ଲକ୍ଷ ଭକ୍ତଙ୍କ ସମାଗମ

ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଧୀନ ବାବା ଚନ୍ଦନେଶ୍ବରଙ୍କ ପୀଠରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଇଛନ୍ତି। ବୁଧବାର ଦିନ ଦ୍ବିତୀୟ ଅର୍ଘ୍ୟରେ କାମିନୀ ବିବାହ ଓ ମହାନୀଳପର୍ବ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ କରାଯାଇଛି।

ସକାଳେ ଭଟ୍ଟପୁରସ୍ଥିତ କାମିନୀ ମନ୍ଦିରରେ ବାବା ଚନ୍ଦନେଶ୍ୱର ଓ କାମିନୀଙ୍କର ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ପରେ ବାବା ଚନ୍ଦନେଶ୍ୱର ଓ କାମିନୀଙ୍କ ପ୍ରତିଭୂ ଘଟକୁ ଶୋଭାଯାତ୍ରା ମଧ୍ୟରେ ଚନ୍ଦନେଶ୍ବର ମନ୍ଦିରକୁ ଅଣାଯାଇଥିଲା। ଏହି ସମୟରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭୂତପ୍ରେତ ମୁଖାଧାରୀ ଭକ୍ତମାନଙ୍କର ନୃତ୍ୟ ଚିତାକର୍ଷକ ହୋଇଥିଲା। ଅଭିମାନୀ ମାତା ପାର୍ବତୀ ଶ୍ରୀମନ୍ଦିରର ଫାଟକ ବନ୍ଦ କରିଦେଇଥିଲେ। ମୌରସୀ ସେବାୟତ ଓ ପାଟଭକ୍ତା ମାତା ପାର୍ବତୀଙ୍କର ମାନଭଞ୍ଜନ କରିବା ପରେ ମନ୍ଦିରର ଗର୍ଭଗୃହରେ ବାବା ଚନ୍ଦନେଶ୍ୱର ଓ କାମିନୀଙ୍କ ରୁଦ୍ଧଦ୍ୱାର ବିବାହ ସଂପନ୍ନ ହୋଇଥିଲା। ସେହିପରି ଅପରାହ୍ନରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ମହାନୀଳପର୍ବ ଅନୁଷ୍ଠିତ ହୋଇଥିଲା। ପାଟଭକ୍ତଙ୍କ ନିର୍ଦ୍ଦେଶ ପାଇବା ପରେ ନୀଳ ପୋଖରୀରୁ ବାବା ଚନ୍ଦନେଶ୍ୱରଙ୍କର ଚଳନ୍ତି ବିଗ୍ରହ କୁହାଯାଉଥିବା ଥମ୍ବିକାଠ ଉତ୍ତୋଳନ ହୋଇଥିଲା ଏବଂ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ସ୍ଥାପନ କରାଯାଇଥିଲା। ଥମ୍ବିକାଠକୁ ଦର୍ଶନ ଓ ସ୍ପର୍ଶ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା।

ଆଜି ମହାପାଟପର୍ବ ଆୟୋଜନ ହେବା ସହ ଦୀର୍ଘ ୧୩ ଦିନ ଧରି ଚାଲିଥିବା ଚଡ଼କମେଳା ଉଦ୍‌ଯାପିତ ହେବ।

Spread the love