ଖାଉଟିଙ୍କୁ ଆଶ୍ୱସ୍ତି ଚଳିତ ବର୍ଷ ରେକର୍ଡ ଛୁଇଁବ ଖାଦ୍ୟ ଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ  :  ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ଏବେ ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୧-୨୨ରେ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ ଛୁଇଁବ ।ସରକାରୀ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ଚାଉଳ, ଗହମ ଏବଂ ଡାଲି ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୫.୭ ନିୟୁତ ଟନ୍‌ ଛୁଇଁବ । ୨୦୨୦-୨୧ ତୁଳନାରେ ଏହା ୪.୯୮ ନିୟୁତ ଟନ୍‌ ଅଧିକ । ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ୱର ବିଭିନ୍ନ ଭାଗରେ ଅନେକ କୃଷି ଉତ୍ପାଦର ଯୋଗାଣ ବ୍ୟାହତ ହୋଇଥିବାବେଳେ ଏହି ରିପୋର୍ଟ ଦରବୃଦ୍ଧି ମଧ୍ୟରେ କଲବଲ ହେଉଥିବା ଦେଶର ସାଧାରଣ ଖାଉଟିଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।୨୦୨୧-୨୨ରେ ଉତ୍ପାଦନ ହେବାକୁ ଥିବା ୩୧୫.୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ ବର୍ଷରେ ଦେଶର ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୫ ନିୟୁତ ଟନ୍‌ ଅଧିକ । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୧-୨୨ରେ ରେକର୍ଡ ପରିମାଣର ଚାଉଳ, ମକା, ଚଣା, ଡାଲି, ସୋରିଷ, ତୈଳବୀଜ ଏବଂ ଆଖୁ ଉତ୍ପାଦନ ହେବ ।ଆଲୋଚ୍ୟ ଆର୍ଥିକବର୍ଷରେ ରେକର୍ଡ ୧୩୦.୨୯ ନିୟୁତ ଟନ୍‌ ଚାଉଳ ଏବଂ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରାଳୟ ଆକଳନ କରିଛି । ତେବେ ରେକର୍ଡ ୩୭.୭ ନିୟୁତ ଟନ୍‌ ତୈଳବୀଜ ଉତ୍ପାଦନ ହେବ ବୋଲି ଏହା ଅନୁମାନ କରିଛି ।ସେହିଭଳି ୨୦୨୧-୨୨ରେ ୨୭.୬୯ ନିୟୁତ ଟନ୍‌ ଡାଲି ଉତ୍ପାଦନ ହେବ ବୋଲି ଅନୁମାନ କରାଯାଇଛି । ଗତ ୫ ବର୍ଷର ହାରାହାରି ବାର୍ଷିକ ଉତ୍ପାଦନ ତୁଳନାରେ ଏହା ୩.୮୭ ନିୟୁତ ଟନ୍‌ ଅଧିକ । ନରେନ୍ଦ୍ର ମୋଦି ସରକାରଙ୍କ ଚାଷୀ-ଅନୁକୂଳ ନୀତି, କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି ।

 

Spread the love