ଚେନ୍ନାଇ ଏକ୍ସପ୍ରେସ୍‌କୁ ରୋକିଲା କୋଲକାତା

ଚେନ୍ନାଇ: ଚେନ୍ନାଇରେ ହିଁ ଚେନ୍ନାଇ ଏକ୍ସପ୍ରେସ୍‌ ଅଟକିଯାଇଛି। ପ୍ଲେ ଅଫ୍ ଦ୍ବାରରେ ଥିବା‌ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ରବିବାର ରୋକିଛି କୋଲକାତା ନାଇଟ୍ ରାଇଡର୍ସ। ଚେପକ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ନୀତୀଶ ରାଣାଙ୍କ ଦଳ ୬ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ କୋଲକାତା ନିଜ ସମ୍ଭାବନାକୁ କାଏମ ରଖିଛି। ଚେନ୍ନାଇ ନିଜ ପିଚ୍‌କୁ ପଢ଼ିବାରେ ଭୁଲ କରିଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମାତ୍ର ୧୪୪ ରନ୍‌ କରିପାରିଥିଲା। ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ କୋଲକାତା ସଙ୍କଟରେ ପଡ଼ିଥିଲେ ମଧ୍ୟ ରିଙ୍କୁ ସିଂହ ଏବଂ ନୀତୀଶ ରାଣା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ ସହିତ ୯୯ ରନ୍‌ର ଭାଗୀଦାରି ଗଢ଼ିଥିଲେ। କୋଲକାତା ୭ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏହି ମ୍ୟାଚ୍‌ ଜିତିଥିଲେ ଚେନ୍ନାଇ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍ ଯୋଗ୍ୟତା ସହ ୧-୨ ଭିତରେ ରହିବାକୁ ମଧ୍ୟ ନିଶ୍ଚିତ କରିଥା’ନ୍ତା। ଏହି ସମ୍ଭାବନା ଏବେ ବିଳମ୍ବିତ ହୋଇଛି। କୋଲକାତା କିନ୍ତୁ ଷଷ୍ଠ ବିଜୟ ସତ୍ତ୍ବେ ଚାପରେ ରହିଛି। ଉଭୟ ଦଳ ହାତରେ ଗୋଟିଏ ଲେଖାଏଁ ମ୍ୟାଚ୍ ରହିଛି। ସପ୍ତାହାନ୍ତ ଶନିବାର କୋଲକାତା-ଲ‌କ୍ଷ୍ନୌ ଏବଂ ଚେନ୍ନାଇ-ଦିଲ୍ଲୀ ମୁକାବିଲା ହେବ।

ଚଳିତ ସଂସ୍କରଣରେ ଚେନ୍ନାଇର ସର୍ବନିମ୍ନ ସ୍କୋର୍‌
ପୂର୍ବରୁ ଚେନ୍ନାଇ ୧୪୪ ରନ୍‌ କରିଥିଲା। ଏହା ଚଳିତ ସଂସ୍କରଣରେ ଚେନ୍ନାଇର ସର୍ବନିମ୍ନ ସ୍କୋର୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଚେନ୍ନାଇକୁ ଭଲ ଆରମ୍ଭ ଦେଇଥିଲେ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡ। ଉଭୟ ସାଢ଼େ ୩ ଓଭରରେ ୩୧ ରନ୍‌ ଯୋଡ଼ିଥିଲେ। ଗାଏକ୍ବାଡ (୧୭)ଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍‌ କରି କୋଲ୍‌କାତାକୁ ପ୍ରଥମ ସଫଳତା ଦେଇଥିଲେ। ୫ ଓଭରରେ ଦଳ ୪୮ ରନ୍‌ କରିନେଇଥିଲା। ହେଲେ ଏହାପରେ ରନ୍‌ ହାର କମିବା ସହ ୧୧ ଓଭର ବେଳକୁ ୫ ୱିକେଟ୍‌ ହରାଇ ୭୨ ରନ୍‌ କରିଥିଲା। ଶିବମ ଦୁବେ ଓ ରବୀନ୍ଦ୍ର ଜାଦେଜା ଷଷ୍ଠ ୱିକେଟ୍‌ରେ ୬୮ ରନ୍‌ ଯୋଡ଼ି ସ୍କୋର୍‌ ୧୫୦ର ନିକଟତର କରିଥିଲେ। ଜାଦେଜା (୨୦) ଆଉଟ ହୋଇଥିଲା ବେଳେ ଦୁବେ (୪୮*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସୁନିଲ ନାରାୟଣ (୪-୦-୧୫-୨) ଓ ଶାର୍ଦୁଳ ଠାକୁର (୩-୦-୧୫-୧) ମିତବ୍ୟୟୀ ରହିଥିଲେ।

Spread the love