ଦୁଇ ଏନ୍‌ଏସି ବିଜେପି କବ୍‌ଜାରେ, ବିଜେଡି ପାଇଁ ଅଗ୍ନିପରୀକ୍ଷା ବେଳ

ବ୍ରହ୍ମପୁର : ଦିନ ଥିଲା, ଛତ୍ରପୁର ନିର୍ବାଚନମଣ୍ଡଳୀ ସିପିଆଇର ଗଡ଼ ଭାବେ ପରଚିତ ଥିଲା। କିନ୍ତୁ ଗତ ୨୦୧୪ରୁ ଛତ୍ରପୁର ଆସନରୁ ବିଜେଡି ବାନା ଉଡ଼ୁଛି। କିନ୍ତୁ ଗଲା ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଠାରୁ ତୀବ୍ର ଅନ୍ତଃକନ୍ଦଳ ଯୋଗୁଁ ଶାସକ ଦଳ ସଂଗଠନ ଭଲ ଅବସ୍ଥାରେ ନାହିଁ। ଛତ୍ରପୁର ବିଧାୟକଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ସେପଟେ ଗତ ପୌର ନିର୍ବାଚନ‌ରେ ଅଧ୍ୟକ୍ଷ ପଦ ଲାଗି ହୋଇଥିବା ପ୍ରତ୍ୟକ୍ଷ ଭୋଟ୍‌ରେ ଛତ୍ରପୁର ନିର୍ବାଚନମଣ୍ଡଳୀର ତିନିଟି ପୌରାଞ୍ଚଳ ମଧ୍ୟରୁ ଛତ୍ରପୁର ଓ ରମ୍ଭା ଏନ୍‌ଏସିକୁ ବିଜେପି ଦଖଲ କରିଛି। ଗଞ୍ଜାମ ଏନ୍‌ଏସିରେ ସ୍ବାଧୀନ ଅଧ୍ୟକ୍ଷ ବିଜୟୀ ହୋଇଥିଲେ। ଏଣୁ ସହରାଞ୍ଚଳରେ ଭୋଟର୍‌ଙ୍କ ପସନ୍ଦ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏଭଳି ସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଛତ୍ରପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ୪ଟି ଦଳ ବିଜେଡି, ବିଜେପି, ସିପିଆଇ ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସଂଗଠନକୁ ମଜଭୂତ କରିବା ପାଇଁ ଦଳୀୟ ନେତାଙ୍କ ସହିତ ଆଲୋଚନା କରୁଛନ୍ତି। ଯେଉଁ ସ୍ଥାନରେ ଦଳୀୟ କନ୍ଦଳ ଲାଗିଛି ତାକୁ ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି। ଛତ୍ରପୁରରେ ବିଜେଡିର ବିଧାୟକ ବିରୋଧୀ ଗୋଷ୍ଠୀ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇଥିଲେ। ଏହା ପରଠାରୁ ବିଭିନ୍ନ ସମୟରେ ବିଧାୟକ ସପକ୍ଷ ଏବଂ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସେପଟେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ଗତ କିଛିମାସ ତଳେ ଗଞ୍ଜାମ ସହରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଦେଇ ବିରୋଧୀ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ବର୍ଷିଥିଲେ। ଏହି ସବୁ ଘଟଣାରୁ ସ୍ପଷ୍ଟ ହେଉଛି ଯେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଏବେ ବିଧାୟକ ବିରୋଧୀ ଗୋଷ୍ଠୀ ଧୀରେ ଧୀରେ ଶକ୍ତିବୃଦ୍ଧି କରୁଛନ୍ତି। ଏଣୁ ଦଳର ବରିଷ୍ଠ ନେତା ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଦଳୀୟ ପର୍ଯ୍ୟବେକ୍ଷକ ଅଛନ୍ତି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀକୁ ନେଇ ଦଳୀୟ ସ୍ଥିତିର ସମୀକ୍ଷା କରାଯାଉଛି। ସମସ୍ତେ ବିଜେଡିରେ ଅଛନ୍ତି, ଯେଉଁଠି ମତାନ୍ତର ରହିଛି ତାହା ସମାଧାନ କରାଯାଉଛି ବୋଲି ସେ କହିଛନ୍ତି।

ବିଜେଡିରେ ଚାଲିଥିବା ଏହି କନ୍ଦଳର ଫାଇଦା ଉଠାଇବା ପାଇଁ ବିଜେପି ‌ସୁଯୋଗ ହାତଛଡ଼ା କରିବ ନାହିଁ। ବିଜେପି ଛତ୍ରପୁର ଏନ୍‌ଏସି ଓ ରମ୍ଭା ଏନ୍‌ଏସି କବ୍‌ଜା କରିଛି। ଏଣୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କଡ଼ା ଟକ୍କର୍‌ ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ସେପଟେ ବିଜେଡି ନିଜର ସ୍ଥିତିକୁ ସୁଦୃଢ଼ କରିବାରେ କି ରଣନୀତି ଆପଣାଉଛି ତାହା ଦେଖିବାକୁ ରହିଲା। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରା ୭୪ହଜାର ୫୯୪ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର କର ୫୩ହଜାର ୫୪୩ ଭୋଟ୍‌ ପାଇଥିଲେ। ସେହିପରି ସିପିଆଇ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ୧୨ହଜାର ୭୬୬ ଭୋଟ ପାଇଥିଲେ।

Spread the love