ପୋଲିସ ମଦ ଧରିବାକୁ ଆସିଲେ ତାଙ୍କୁ ଗୋଡାଇ ଗୋଡାଇ ମାଡଦିଅ: ଛତିଶଗଡ ପୂର୍ବତନ ଗୃହମନ୍ତ୍ରୀ

ସାରା ଦେଶରେ ମଦକୁ ବିରୋଧ କରାଯାଉଛି । ଦେଶକୁ ମଦମୁକ୍ତ କରିବାକୁ କିଛି ଗଣସଂଗଠନ ରାଜରାସ୍ତାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିହାର ଠାରୁ ଗୁଜରାଟ ପର୍ଯ୍ୟନ୍ତ ଶହ ଶହ ଲୋକ ବିଷାକ୍ତ ମଦପିଇ ମୃତ୍ୟୁବରଣ କରୁଛନ୍ତି । ସେପଟେ ବିହାରରେ ମଦମୃତ୍ୟୁକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ଛତିଶଗଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଦଳର କର୍ମୀମାନଙ୍କୁ କହିଛନ୍ତି କି ଯଦି ପୋଲିସ ଆପଣଙ୍କ ଘରକୁ ମଦ ଧରିବାକୁ ଆସେ ତେବେ ସେମାନଙ୍କୁ ଗୋଡାଇ ଗୋଡାଇ ମାଡ ଦିଅ ।

ଛତିଶଗଡ ରାମପୁର ଆସନରୁ ବିଧାୟକ ଥିବା ଓ ବିଜେପି ସରକାର ସମୟରେ ଗୃହମନ୍ତ୍ରୀ ଥିବା ନନକିରାମ କମ୍ବର ମଦ ବିରୋଧୀ ଅଭିଯାନର ମୁଖ୍ୟ ଥିଲେ । ହେଲେ ନିର୍ବାଚନ ଆସୁଥିବାରୁ ତାଙ୍କର ସ୍ୱର ବଦଳିଯାଇଛି । ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଏକ ସଭାରେ ଲୋକମାନଙ୍କୁ କହିଛନ୍ତି କି ଯଦି କେହି ପୋଲିସ ଆପଣଙ୍କ ଘରକୁ ମଦ ଧରିବାକୁ ଆସନ୍ତି ତେବେ ସେମାନଙ୍କୁ ମାଡ ଦିଅ   । କମ୍ବରଙ୍କ ଏଭଳି ବୟାନ ଆଗକୁ ରାଜ୍ୟ ରାଜନୀତିରେ ହଟଚମଟ କରିବ ବୋଲି ଅନୁମାନ କରାଯାଉଛି ।

କମ୍ବର ନିଜ ନିର୍ବାଚନ ମଣ୍ଡଳୀର କୋରକୋମା ଗାଁରେ ଆୟୋଜିତ ଦଳର ଏକ ସାଧାରଣ ସଭାରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏଭଳି ଭାବେ ପୋଲିସ ବିରୋଧରେ ଉସକାଇଛନ୍ତି । ଦଳୀୟ କର୍ମୀମାନେ ମଧ୍ୟ କମ୍ବରଙ୍କ କଥାକୁ ସମର୍ଥନ କରି ତାଳିମାଡ କରିଥିବା କୁହାଯାଉଛି । କହିରଖୁ କି ନନକିରାମ କମ୍ବରଙ୍କ ଛତିଶଗଡ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଗଣନା କରାଯାଏ । ସେ ୧୯୯୦ ଓ ୧୯୯୩ ମସିହାରେ ଅବିଭକ୍ତ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିଲେ    । ଏହାପରେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ୨୦୦୩ ରୁ ୨୦୧୩ ପର୍ଯ୍ୟନ୍ତ ସେ ଛତିଶଗଡ ସରକାରରେ କୃଷି ଓ ଗୃହମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଛନ୍ତି ।

Spread the love