୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପାଇଁ ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଏଥିସହ ଆଜି ହେବାକୁ ଥିବା ବିବିସି ସ୍ପୋର୍ଟସ ୱିମେନ୍ ଅଫ୍ ଦ ଇୟର ଆଓ୍ବାର୍ଡରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ତେବେ ଉଷୁନା ଚାଉଳ ଉଠାଇବା, କୋଇଲା ରୟାଲଟି ବୃଦ୍ଧି ଓ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଂଗକୁ ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର ସୂଚନା ରହିଛି ।ପୂର୍ବରୁ କୋଇଲା ରୟାଲଟି ସଂଶୋଧନ, ଗ୍ରୀନ ସେସ୍‌ର ପ୍ରାପ୍ୟ ରାଜ୍ୟକୁ ପ୍ରଦାନ କରିବାକୁ କେନ୍ଦ୍ରକୁ ସୁପାରିସ କରିଛି ରାଜ୍ୟ । କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ଗ୍ରୀନ ସେସ୍ ରାଜ୍ୟକୁ କେନ୍ଦ୍ର ଦେଉନଥିବାରୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେଡି ।୭ବର୍ଷ ହେଲା ଏ ନେଇ ଦାବି ହେଉଛି କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନି କେନ୍ଦ୍ର । ୧୨ହଜାର କୋଟି ଟଙ୍କାର ରାଜସ୍ୱ  ହରାଇଲାଣି ରାଜ୍ୟ ।  ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ, ୧୪ପ୍ରତିଶତରୁ ୨୦ପ୍ରତିଶତକୁ ରୟାଲଟି ବୃଦ୍ଧି କରିବା ପାଇଁ ବୈଠକରେ ଦାବି କରାଯାଇଛି । ଷ୍ଟାଣ୍ଡି କମିଟିର ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ରକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି ।କୋଇଲା ଉତ୍ତୋଳନ ଓ ପ୍ରଦୂଷଣ ରାଜ୍ୟ ସହୁଛି । ଏ ବାବଦକୁ କିନ୍ତୁ ରାଜ୍ୟର ଗ୍ରୀନ ସେସ୍‌ ପ୍ରାପ୍ୟକୁ କେନ୍ଦ୍ର ଦେଉନାହିଁ । ଏ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । ସଂସଦରେ ଏ ପ୍ରସଙ୍ଗ ବିଜେଡି ଉଠାଉଛି । ତଥାପି କେନ୍ଦ୍ର ରାଜ୍ୟକୁ ତାର ହକ୍ ଦେଉନାହିଁ । ଯାହାକୁ ନେଇ ଖପ୍ପା ଉଭୟ ବିଜେଡି ଓ କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ ଗ୍ରୀନ ସେସ୍ ବାବଦ ଅର୍ଥ ରାଜ୍ୟକୁ ଦେବାପାଇଁ ଦାବି ହୋଇଛି । ସେପଟେ ରାଜ୍ୟ ସ୍ୱାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇନାହିଁ ରାଜ୍ୟ ବିଜେପି । ସବୁ କ୍ଷେତ୍ରରେ କେନ୍ଦ୍ର ଓଡିଶା ପ୍ରତି ବୈମାତୃକ ମନୋଭାବ ରଖୁଛି ।

Spread the love