ପୁଷ୍ଟି, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’

ଭୁବନେଶ୍ବର : କିଶୋରୀ(୧୫-୧୯ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ସମେତ ଏସ୍‌ଏଏମ୍‌(ଗମ୍ଭୀର ପୁଷ୍ଟିହୀନତା), ଏମ୍‌ଏଏମ୍‌ ଓ ଏସ୍‌ୟୁଡବ୍ଲୁ ଶିଶୁମାନଙ୍କ ପୁଷ୍ଟିଗତ ଓ ସ୍ବାସ୍ଥ୍ୟଗତ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପିୱାଇ)କୁ କ୍ୟାବିନେଟ ଅନୁମୋଦନ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାସହ ଆସନ୍ତା ୫ବର୍ଷ ପାଇଁ ୩୩୫୪.୪୦‌ କୋଟି ବ୍ୟୟ ମଞ୍ଜୁର କରାଯାଇଛି।

ଏହି ଯୋଜନାରେ ସମସ୍ତ ଜିଲ୍ଲାର କିଶୋରୀଙ୍କ ପୁଷ୍ଟିଗତ ଉନ୍ନତି ପାଇଁ ଅଣ୍ଡା, ଲଡ଼ୁ, ପୁଷ୍ଟିକର ସପ୍ଲିମେଣ୍ଟ ଯୋଗାଇ ଦିଆଯିବ। ଆଇସିଡିଏସ୍‌ ପ୍ରକଳ୍ପ ସ୍ତରରେ କିଶୋରୀ ମେଳା ଆୟୋଜନ କରାଯିବ। କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଓ ଅନ୍ୟାନ୍ୟ ଆଇଇସି-ଏସ୍‌ବିସିସି କାର୍ଯ୍ୟକଳାପ ସଂଗଠିତ ହେବ। ଗର୍ଭବତୀ ମହିଳା ଓ ପ୍ରସୂତି ମା’ ଅତିରିକ୍ତ ଟେକ୍ ହୋମ ରାସନ ଆକାରରେ ଅଣ୍ଡା, ମିଲେଟ ଓ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ। ଏସ୍‌ଏଏମ୍‌, ଏମ୍‌ଏଏମ୍‌ ଓ ଏସ୍‌ୟୁଡବ୍ଲୁ ୬ବର୍ଷ ବୟସରୁ କମ୍ ଶିଶୁଙ୍କ ପାଇଁ ଅଗମେଣ୍ଟେଡ୍‌ ଟିଏଚ୍‌ଆର ଓ ଅଣ୍ଡା ଯୋଗାଇ ଦିଆଯିବ।

ସେହିପରି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନ, ଅନାଥାଶ୍ରମ, ଦୁଷ୍ଟିହୀନଙ୍କ ପାଇଁ ବିଦ୍ୟାଳୟ ଓ ଗୋଶାଳା ପରି ଅନୁଷ୍ଠାନମାନଙ୍କୁ ବାର୍ଷିକ ଖଜଣା ବାବଦର ଦେୟ ଧାର୍ଯ୍ୟ ହୋଇଛି। ସରକାରଙ୍କ ଦ୍ବାରା ପ୍ରଣୀତ ନୀତି ଅନୁଯାୟୀ ବା ସରକାରଙ୍କ ସ୍ବତନ୍ତ୍ର ଆଦେଶ ଅନୁଯାୟୀ ଧାର୍ଯ୍ୟ ପରିମାଣ ମୁତାବକ ସରକାରୀ ଜମି ଲିଜ ପ୍ରଦାନ କ୍ଷେତ୍ରରେ ଉକ୍ତ ଅନୁଷ୍ଠାନଗୁଡ଼ିକ ଦ୍ବାରା ଖଜଣା ବାବଦରେ ବାର୍ଷିକ ଶହେ କୋଟି ପ୍ରତି ଏକର ଓ ସେସ୍ ବାବଦରେ ବାର୍ଷିକ ଖଜଣାର ୭୫ ପ୍ରତିଶତ ଦେୟ ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହାସହ ଗଞ୍ଜାମ ଜିଲ୍ଲାର କନିସି ତହସିଲ ଅଧୀନ ଶୀତଳପଲ୍ଲୀ ମୌଜାରେ ଟାଟା ଷ୍ଟିଲ ଦ୍ବାରା ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯାଇଥିବା ୪୩.୦୫୦ ଏକର ସରକାରୀ ଜମି ବାବଦ ଭୂ-ରାଜସ୍ବ, ସେସ୍ ଓ ବଜେୟା ଉପରେ ସୁଧ ଛାଡ଼ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଜମି ବାବଦରେ ଦେବାକୁ ଥିବା ଇନସିଡେଣ୍ଟାଲ ଚାର୍ଜ ଓ ଦଖଲ ଦିଆଯାଇଥିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ବାର୍ଷିକ ଦେୟ ଛାଡ଼ କରାଯାଇଛି। ତେବେ ଟାଟା ଷ୍ଟିଲ ଉକ୍ତ ଜମିକୁ ଲିଜରେ ନେବା ପାଇଁ ବର୍ତ୍ତମାନଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ଶହେ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ସେସ୍ ଦେବାକୁ ହେବ।

Spread the love