ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ପୁରୀ :  ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ ।ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସିଧା ସିଧା ପୁରୀକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦିନ ୧୦ଟା ୧୦ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଠିକ୍‌ ୧୦ଟା ୧୫ ମିନିଟରେ ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିବେ । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିବେ ।ପରେ ପରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ । ବିଦେଶ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହୋଇଥିବା ବିକାଶର ଚିତ୍ର ବିଶ୍ୱ ଆଗରେ ରଖିଛନ୍ତି । ଓଡ଼ିଶାରେ ୨୨ ବର୍ଷ ହେଲା ସ୍ଥିର ରହିଥିବା ରାଜ୍ୟ ସରକାର  କିପରି ବିକାଶ କରିଛନ୍ତି ତାହାର ବର୍ଣ୍ଣନା କରିଛନ୍ତି । ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପରିବର୍ତ୍ତନର ଚିତ୍ର ଦର୍ଶାଇ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଆସିଥିବା ରୂପାନ୍ତରୀକରଣର କଳାକୌଶଳ କଥା କହିଥିଲେ । ଫୋକସ୍‌ରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା । ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଓଡ଼ିଶାକୁ ୨୧ ହଜାର କୋଟି ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି । ବାହାର ଦେଶରେ ଓଡ଼ିଶାର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ଓଡ଼ିଶା ପ୍ରଦର୍ଶିତ କରିବାରେ ସଫଳ ହୋଇଛି ।

Spread the love