ସାଉଦି ଆରବରେ ଫସିିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ

ସାଉଦି ଆରବରେ ଫସି ରହିଥିବା ୩୩ ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଚିଠି ଲେଖିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା। ରିଆଦସ୍ଥିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଡ. ସୁହେଲ ଅଜାଜ ଖାନଙ୍କୁ ଚିଠି ଲେଖି ସେମାନଙ୍କୁ ଉଦ୍ଧାର ଓ ସ୍ୱଦେଶ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଏହା ସହ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛନ୍ତି।

ଓଡ଼ିଶାର ୩୩ଜଣଙ୍କ ସହ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ୧୦ଜଣ ସାଉଦି ଆରବ କାମ ଅନେ୍ଵଷଣରେ ଯାଇଥିବା ବେଳେ ଫସି ରହିଛନ୍ତି। କାମ କରାଇବାକୁ ନେଇଥିବା କଂପାନୀ ଦ୍ୱାରା ସେମାନେ ଠକାମୀର ଶିକାର ହୋଇଛନ୍ତି।  ସେମାନଙ୍କୁ ନେଇ ଯାଇଥିବା କଂପାନୀ ସେମାନଙ୍କ ଭିସାର ମଧ୍ୟ ନବୀକରଣ କରାଇନଥିବା ଗଲ୍‌ଫ ଓଡ଼ିଆ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ସେମାନଙ୍କୁ ଦରମା ଦିଆଯାଉନଥିବା ବେଳେ ଖାଦ୍ୟ, ପାନୀୟ ଓ ଔଷଧ ଭଳି ଜରୁରୀ ସାମଗ୍ରୀ ପ୍ରଦାନ କରାଯାଉନାହିଁ ବୋଲି ଜଣାପଡ଼ିଛି। ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ଉଦ୍ଧାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ସଚିବ।

Spread the love