ନବଜାତ ଶିଶୁପୁତ୍ରକୁ ୭ହଜାର ଟଙ୍କାରେ ଦେଇଦେଲା ମା’

ଏତେ ନୃଶଂସ ହୋଇପାରେ ଜନ୍ମଦାତ୍ରୀ ମା’ ! ଟଙ୍କା କେଇଟା ପାଇଁ ମାତ୍ର ଦିନକର ଛୁଆକୁ ଅନ୍ୟ ହାତରେ ଟେକିଦେଲା ଜନ୍ମକଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ଷେଣ୍ଢା ଅଞ୍ଚଳରେ । ପୋଲିସ ଏବଂ ଚାଇଲ୍ଡ ଲାଇନ୍‌ ସହାୟତାରେ ଶିଶୁକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ରିଆମାଳ ବ୍ଲକ୍‌ ଷେଣ୍ଢା ଗାଁର ରାମ ମାଝୀଙ୍କ ପତ୍ନୀ ବାସନ୍ତୀ ମାଝୀ ଗତ ୮ ତାରିଖ ଦିନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ପୁତ୍ର ସନ୍ତାନ ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ଶିଶୁଟି କେଉଁଆଡେ ଗାଏବ ହୋଇଯାଇଥିବା ଗୃହ ପରିଦର୍ଶନରେ ଯାଇଥିବା ଆଶା କର୍ମୀ ଜାଣିବାକୁ ପାଇଥିଲେ । ଜନ୍ମକଲା ମା’, ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଆଶା କର୍ମୀଙ୍କୁ କହିଥିଲେ । ଅନ୍ୟପଟେ ଜଣେ ବ୍ୟକ୍ତି ୧୦୯୮ ନମ୍ବରକୁ ଫୋନ କରି, ଶିଶୁଟିକୁ ଜନ୍ମକଲା ମା’ ୭ ହଜାର ଟଙ୍କାରେ ଦେଇଦେଇଥିବା ସୂଚନା ଦେଇଥିଲେ । ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦେଶକ୍ରମେ ଚାଇଲ୍ଡ ଲାଇନ୍‌ ନିର୍ଦେଶିକା ରୀତାରାଣୀ ରାଉତ, ସିଏସ୍‌ଡିଆର୍ ନିର୍ଦେଶକ ଜଗନ୍ନାଥ ପଣ୍ଡା ଏବଂ ଚାଇଲ୍ଡ ଲାଇନ୍‌ ସଂଯୋଜକ ପ୍ରଶାନ୍ତ ବେହେରା କୁଣ୍ଢେଇଗୋଳା ପୋଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

ପଚରାଉଚରା ବେଳେ ପ୍ରଥମେ ଶିଶୁର ମା’ ସ୍ବୀକାର କରିନଥିବା ବେଳେ ପରେ କିନ୍ତୁ ଶିଶୁକୁ ୭ହଜାର ଟଙ୍କାରେ ଦେଇଦେଇଥିବା ନେଇ ମାନିଥିଲା । ଅନୁଗୁଳ ମାମୁରିଆରୁ ଆସି ଷେଣ୍ଢାରେ ଏକ ଭଡା ଘରେ ରହୁଥିବା ଦୁଇ ଜଣ ଦମ୍ପତ୍ତିଙ୍କ ମଧ୍ୟସ୍ତତାରେ ରିଆମାଳ ଅନ୍ତର୍ଗତ ନୂଆପଡାର ଖୁଲଣା ବେହେରାକୁ ଶିଶୁକୁ ଦେଇଦେଇଥିଲା । ତେବେ ପୋଲିସ ଚଢାଉ କରି ନବଜାତ ଶିଶୁକୁ ଉଦ୍ଧାର କରିଥିଛି । ପରେ ଶିଶୁଟିକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ।

ଅନ୍ୟପଟେ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷଙ୍କ ଏତଲାକ୍ରମେ କୁଣ୍ଢେଇଗୋଳା ପୋଲିସଚଦ୍ବାରା ୧୮୬୦ର ଧାରା ୧୦୯, ୩୭୦(୪) ଓ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟର ଧାରା ୮୦,୮୧ ଓ ୮୭ ଅନୁଯାୟୀ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

Spread the love