ଆପାର୍ମମେଣ୍ଟ କୋଠାରୁ ଖସି ଶିଶୁ ମୃତ

ବ୍ରହ୍ମପୁର: ଫାଷ୍ଟଗେଟ୍ ଧୋବାବନ୍ଧ ନିକଟ ରାଜୀବ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଏକ ଆପାର୍ଟ‌େମଣ୍ଟର ୪ର୍ଥ ମହଲାରୁ ଜଣେ ଶିଶୁ(୨ବର୍ଷରୁ କମ୍‌) ଖସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। କିନ୍ତୁ ଏନେଇ ନିକଟସ୍ଥ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆଖପାଖ ପଡ଼ୋଶୀଙ୍କ କହିବା ମୁତାବକ‌, ୧୧ନଂ ବ୍ଲକର ଉପର ମହଲାରେ ଏହି ଦୁର୍ଘଟଣା ଘଟିଥିଲା। ସେହି ଘର ଯେଉଁ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି, ତାଙ୍କର କେହି ଜଣେ ସମ୍ପର୍କୀୟ ମହିଳା ୨ବର୍ଷର ଶିଶୁପୁତ୍ରକୁ ଆଣି କିଛିଦିନ ହେବ ରହୁଥିଲେ। ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଚିକିତ୍ସା ପାଇଁ ମହିଳା ଜଣକ ଆସିଥିଲେ।

ସକାଳୁ ଘର ମାଲିକଙ୍କ ପରିବାରବର୍ଗ କାମ ପାଇଁ ବାହାରକୁ ଚାଲିଯାଇଥିଲେ। ମହିଳା ଜଣକ ଏକାକୀ ଶିଶୁପୁତ୍ର ସହ ଥିଲେ। ଦିନ ପ୍ରାୟ ୧୧ଟା ବେଳେ ମହିଳାଙ୍କ ଅଜାଣତରେ ଶିଶୁଟି ବାଲକୋନି ପାଖକୁ ଚାଲିଯାଇଥିଲା। ସେଠାରେ ଥିବା ଲୁହା ରେଲିଂ ମଧ୍ୟବର୍ତ୍ତୀ ଫାଙ୍କରେ ତଳକୁ ଖସି ପଡ଼ିଥିଲା। ତା’କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ି ସାରିଥିଲା। ଦୁଃଖରେ ମ୍ରିୟମାଣ ହୋଇ ଶିଶୁଟିର ଶେଷକୃତ ସମ୍ପନ୍ନ କଲା ପରେ ମହିଳାଜଣକ ନିଜ ଶାଶୂ ଘରକୁ ଫେରିଯାଇଛନ୍ତି।

Spread the love