ରାଷ୍ଟ୍ରପତିଙ୍କୁ ଭେଟିଲେ ପିଲାଦିନର ସାଙ୍ଗ ଗୌରୀ: ଉପହାର ପାଇଲେ ପଟ୍ଟଚିତ୍ର ଓ ଦାମୀ ଶାଢ଼ି

ବେଗୁନିଆ: ଦୁଇ ଦିନିଆ ଓଡ଼ିଶା ଗସ୍ତ‌ରେ ଆସି ସୋମବାର ନୂଆଦିଲ୍ଲୀ ଫେରି ଯାଇଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି ତାଙ୍କ ପିଲାଦିନର ସାଙ୍ଗ ଗୌରୀ ମଲ୍ଲିକ। ରବିବାର ସନ୍ଧ୍ୟାରେ ସେ ରାଜଭବନରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଖୋର୍ଦ୍ଧା ଜିଲ୍ଲା ଦୁର୍ଗାପୁର ବାସିନ୍ଦା ଗୌରୀ ଏବଂ ମହାମହିମ ରାଷ୍ଟ୍ରପତି ହେଉଛନ୍ତି ପିଲାଦିନର ସାଙ୍ଗ। ଉଭୟ ଭୁବନେଶ୍ବରର କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ପଢ଼ିବା ସହ ଏକାଠି ହଷ୍ଟେଲ୍‌ରେ ରହୁଥିଲେ। ଏଣୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୌରୀ ଢେର ଦିନ ହେବ ଆଶାବାନ୍ଧି ବସିଥିଲେ। ଗଣମାଧ୍ୟମରେ ତାଙ୍କୁ ନେଇ ଖବର ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ନିଜ ଆଡ଼ୁ ତାଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଭବନ ତରଫରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମାଧ୍ୟମରେ ସାକ୍ଷାତକାରର ଦିନ ଓ ତାରିଖ ନେଇ ଗୌରୀଙ୍କୁ ଜଣାଇ ଦିଆଯାଇଥିଲା।

ଗତକାଲି ସନ୍ଧ୍ୟାରେ ଗୌରୀ ତାଙ୍କ ସ୍ୱାମୀ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ପୁଅ ଅଶୋକ ମଲ୍ଲିକ, ବୋହୂ ଲକ୍ଷ୍ମୀପ୍ରିୟା ପରିଡ଼ା ରାଜଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥି‌ଲେ। ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପିଲାଦିନର ସ୍ମୃ୍ତିକୁ ମନେ ପକାଇ ଗୌରୀ ଭାବବିହ୍ବଳ ହୋଇପଡ଼ିଥିଲେ। ଶ୍ରୀମତୀ ମୁର୍ମୁ ତାଙ୍କୁ ପୁନର୍ବାର ଭେଟିବାକୁ ପ୍ରତିଶ୍ରୁତି ଦେଇଥିବା ଆବେଗଭରା କଣ୍ଠରେ କହିଥିଲେ। ସାକ୍ଷାତକାର ପରେ ରାଷ୍ଟ୍ରପତି ଗୌରୀଙ୍କୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ସମ୍ବଳିତ ଏକ ବନ୍ଧେଇ ପଟ୍ଟଚିତ୍ର ସହ ଦାମୀ ଶାଢ଼ି ଉପହାର ଦେଇଥିଲେ। ଏଥିଲାଗି ଗୌରୀ ସ୍ଥାନୀୟ ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ। ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ପୁଅ ଅଶୋକ ମତ ଦେଇଥିଲେ।

Spread the love