କେନ୍ଦୁଝର : ଚିକିତ୍ସା ଅଭାବରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର ୧୮/୦୯ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଶିଶୁ  ମଡ଼କ। ଗତ ଚବିଶ ଘଣ୍ଟା ମଧ୍ୟ୍ୟରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଚଳିତ ମାସ ୧୮ ଦିନ ମଧ୍ୟରେ ୧୩ ଶିଶୁଙ୍କର ମୃତ୍ୟୁ ହୋଇଥିବା କେନ୍ଦୁଝର ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

କେନ୍ଦୁଝର ଯୋଡ଼ାର ପ୍ରିୟଙ୍କା ମୁଦୁଲିଙ୍କ ସହ ଦୀପେଶ ନାୟକ, ବିଭୀଷଣ ରାଉତ ଏବଂ ମିଥୁନ ନାୟକଙ୍କ ଅଭିଯୋଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଶିଶୁ ବିଭାଗରେ ସେମାନଙ୍କ ଶିଶୁଙ୍କ  ସହିତ ମୋଟ ୬ ଶିଶୁଙ୍କ  ମୃତ୍ୟୁ ହୋଇଛି l ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଶନିବାର ଠାରୁ ତାଙ୍କ ଶିଶୁଙ୍କୁ ଡାକ୍ତରଖାନା ଶିଶୁ ବିଭାଗକୁ  ଆଣିବା ପରେ କୌଣସି ଡାକ୍ତର ନଥିଲେ। ଯେତେ ନେହୁରା ହେଲେ ମଧ୍ୟ କୌଣସି ଚିକିତ୍ସା ପାଇଁ କୌଣସି ଡାକ୍ତର ଆସିନଥିଲେ।

ଏପରିକି ଶିଶୁଙ୍କୁ ଅମ୍ଳଯାନ ଦେବାକୁ ବାପା ମା ମାନେ ସମସ୍ତଙ୍କୁ ଯେତେ ନେହୁରା ହେଲେବି କେହି ଶୁଣି ନ ଥିଲେ। ସେମାନଙ୍କ ଶିଶୁଙ୍କୁ ଅତ୍ୟାବଶ୍ୟକୀୟ ଚିକିତ୍ସା ମିଳି ପାରିନଥିଲା। ଫଳରେ ଚିକିତ୍ସା ଅଭାବରେ ଶିଶୁ ମାନଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ପାଇଁ ପରିବାର ଲୋକମାନେ ଡାକ୍ତର, ସେବିକା ଓ ଅନ୍ୟ ଡାକ୍ତରଖାନା କର୍ମଚାରୀମାନଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ,  ଡାକ୍ତରଖାନାର  ଶିଶୁ ବିଭାଗର ଏସ୍‌ଏନ୍‌ସିୟୂରେ ଚଳିତ ମାସ ୧୮ ଦିନ ମଧ୍ୟରେ  ମୋଟ୍‌ ୧୩ ଶିଶୁଙ୍କ ଜୀବନ ଯାଇଛି।  ଏନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଇଥିଲା। ଫଳରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷି ଅଧିକ୍ଷକ, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତେଜନା ସାମାନ୍ୟ ହ୍ରାସ ପାଇଥିଲା l ଶେଷରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଚିକିତ୍ସାଳୟରେ ପହଞ୍ଚି  ଏହି ଶିଶୁ ମଡ଼କ ତଦନ୍ତ ହେବାପରେ  ପ୍ରତିକ୍ରୀୟା ଦେବେ ବୋଲି ଗଣାମାଧ୍ୟମ ପ୍ରତିନିଧିଙ୍କୁ କହଛନ୍ତି।

Spread the love