ଚୀନ୍ ଫ୍ୟାକ୍ଟ୍ରିକୁ ଜାଳିଦେଲେ ବିକ୍ଷୋଭକାରୀ, ସେନା ଗୁଳିରେ ୭୦ ମୃତ

ମିଆଁମାରରେ ହିଂସା ବ୍ୟାପକ ହେବାରେ ଲାଗିଛି । ଦେଶରେ ସାମରିକ ଶାସନ ଚାଲିବା ପରେ ପ୍ରତ୍ୟେକଦିନ ରକ୍ତପାତ ହେଉଛି । ରବିବାର ୟଙ୍ଗୁନରେ ବିକ୍ଷୋଭକାରୀମାନେ ଚୀନର ଏକ ଫାକ୍ଟ୍ରିରେ ନିଆଁଣ ଲଗାଇ ଦେଇଥିଲେ । ଏହାପରେ ସେନା ସେମାନଙ୍କ ଉପରେ ମନଇଚ୍ଛା ଗୁଳିମାଡ କରିଥିଲା । ଏହି ଗୁଳିକାଣ୍ଡରେ ପ୍ରାୟ ୭୦ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି । ଗତ ୬ ସପ୍ତାହ ଧରି ଚାଲିଥିବା ଅସ୍ଥିରତାରେ ଏହା ସବୁଠାରୁ ଭୟଙ୍କର କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ୟଙ୍ଗୁନରେ ଗୁଳିକାଣ୍ଡରେ ୫୧ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ସହରରେ ମଧ୍ୟ ୧୨ ଜଣ ନିହତ ହୋଇଥିବା ସୂଚନା ମିଳିଛି । ମିଆଁମାରର ଏକ ସଙ୍ଗଠନ  ଅନୁସାରେ, ଏବେସୁଦ୍ଧା ୧୨୫ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଲେଣି । ଏହି ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଏପରି ଅନେକ ସ୍ଥାନ ଅଛି ଯେଉଁଠି ଏକାଧିକ ମୃତଦେହ ପଡି ରହିଛି ।

ମିଆଁମାରରେ ଜାରି ରହିଥିବା ଏହି ରକ୍ତପାତକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଛନ୍ତି । ରବିବାର ଏହି ଘଟଣା ପରେ ବ୍ରିଟିଶ ସରକାର ଚିନ୍ତାବ୍ୟକ୍ତ କରିଛନ୍ତି । ଏହାସହ ସେନା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ସରକାରକୁ ଶାସନ ଫେରାଇ ଦେଉ ବୋଲି ବ୍ରିଟେନରେ ୟୁଏନରେ ଦାବି କରିଛି ।

ସୂଚନାଯୋଗ୍ୟ, ସେନା ମିଆଁମାରରେ ଫେବ୍ରୁଆରୀ ୧ରେ ଶାସନ ଗାଦି ହାତେଇଥିଲା । ଏହାସହ ନିର୍ବାଚିତ ସରକାରକୁ ହଟାଇ ଦେଇଥିଲା । ଆଙ୍ଗ୍ ସାନ ସୁଙ୍କ ସହ ଅନେକ ବଡ ନେତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । ଏହାପରଠୁ ସଡକରେ ସାଧାରଣ ଲୋକେ ବିକ୍ଷୋଭ କରିବା ସହ ଆଙ୍ଗ ସାନ ସୁଙ୍କୁ ମୁକ୍ତ କରିବା ପାଇଁ ଦାବି କରୁଛନ୍ତି ।

Spread the love