ତୀବ୍ବତୀୟଙ୍କ ଜନସଂଖ୍ୟା ହ୍ରାସ କରୁଛି ଚୀନ୍! ଜୋରଜବରଦସ୍ତ ଯୁବତୀଙ୍କୁ ବିବାହ କରୁଛନ୍ତି ଚିନା

ରାଞ୍ଚୀ ୧୦।୧୨:  ଅନ୍ତର୍ଜାତୀୟ ମାନବାଧିକାର ଦିବସ ଅବସରରେ ଶୁକ୍ରବାର ରା଼ଞ୍ଚୀ ସର୍କୁଲାର ରୋଡସ୍ଥିତ  ତୀବ୍ବତୀ ପୋତଲା ମାର୍କେଟରେ ବିଶ୍ୱ ଶାନ୍ତି ଲାଗି ପୂଜାର୍ଚ୍ଚନା, ଶାନ୍ତିପାଠ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଦଲାଇଲାମାଙ୍କ ଦୀର୍ଘାୟୁ ନିମନ୍ତେ ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନିର୍ବାସୀତ ତୀବ୍ବତୀୟ ଓ ତୀବ୍ବତ ମୁକ୍ତି ସାଧନା ସମର୍ଥକ ସମୂହ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ତୀବ୍ବତୀୟମାନେ ଚୀନ୍‌ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ତୀବ୍ବତର ଜନସଂଖ୍ୟା ହ୍ରାସ ଲାଗି ଏବେ ଚୀନ୍‌ ରଣନୈତିକ ପଦକ୍ଷେପ ନେଇଥିବା ନିର୍ବାସୀତ ତୀବ୍ବତୀୟମାନେ ଅଭିଯୋଗ କରିଛନ୍ତି। ଏଥିରେ ଚୀନାମାନେ ଜୋରଜବରଦସ୍ତ ତୀବ୍ବତୀ ମହିଳାଙ୍କୁ ବିବାହ କରୁଥିବାର କହିଛନ୍ତି। ଏଥିରେ ଚୀନ୍‌ ଉପରେ ରାଜନୈତିକ ଚାପ ପକାଇବାକୁ ନିର୍ବାସୀତ ତୀବ୍ବତୀୟମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ତୀବ୍ବତ ବିଶ୍ୱର ଏକ ଏପରି ଅଞ୍ଚଳ ଯେଉଁଠି ମାନବାଧିକାର ସବୁଠୁ ଅଧିକ ଉଲ୍ଲଂଘନ ହେଉଥିବା ନିର୍ବାସୀତ ମାନେ ଅଭିଯୋଗ କରିଛନ୍ତି।

ତୀବ୍ବତ କ୍ଷେତ୍ରରେ ଦିନକୁ ଦିନ ଚୀନ୍‌ର କ୍ରୁରତା ବଢ଼ିବଢ଼ି ଚାଲିଛି। ତୀବ୍ବତୀୟ ନିର୍ବାସୀତ ହେବାର ଏପର୍ଯ୍ୟନ୍ତ ୬୨ ବର୍ଷ ବିତିଗଲାଣି। ଏହି ବର୍ଷମାନଙ୍କରେ ଦଲାଇଲାମା ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ତୀବ୍ବତ ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କ ଅହିଂସା ଆନ୍ଦୋଳନକୁ ସାରା ବିଶ୍ୱ ମାନ୍ୟତା ଦେଇଛି ଓ ଏଥି ଲାଗି ତାଙ୍କୁ ୧୯୮୯ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ଏହା ସତ୍ତ୍ୱେ ତୀବ୍ବତରେ ମାନବାଧିକାରର ଉଲ୍ଲଂଘନ ଏବେ ଚରମ ସୀମାରେ ପହଞ୍ଚିଛି।

ସବୁ ରାସ୍ତାରେ ତୀବ୍ବତୀୟଙ୍କୁ ଘେରିଛନ୍ତି ଚୀନ ସରକାର
ତୀବ୍ବତୀୟଙ୍କୁ ଚୀନ୍‌ ସରକାର ସବୁ ରାସ୍ତାରେ ହଇରାଣ କରୁଥିବାର ନିର୍ବାସୀତ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ବ୍ୟାପକ ବୃକ୍ଷ ଛେଦନ ସାଙ୍ଗକୁ ନିର୍ମାଣ ଗତିବିଧି ଢେର ବଢି ଯାଇଛି। ପରମାଣୁ ବର୍ଜ୍ୟ ଡମ୍ପ କରାଯାଉଥିବାରୁ ଗ୍ଲେସିୟର ଦ୍ରୁତ ତରଳିବା ତୀବ୍ବତର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ଅଞ୍ଚଳକୁ ଚୀନ ନିଜ ଅକ୍ତିଆରକୁ ନେବା ପରଠାରୁ ଏଠାରେ ୧.୨ ନିୟୁତ ତୀବ୍ବତୀୟଙ୍କୁ ହତ୍ୟା କରିସାରିଲାଣି। ଅଞ୍ଚଳରେ ଚୀନ୍‌ କଲୋନୀ ସ୍ଥାପନା କରି ବହୁ ସଂଖ୍ୟାରେ ଲୋକଙ୍କୁ ବସବାସ କରାଇଥିବା ବେଳେ ଏହି ଲୋକମାନେ ତୀବ୍ବତୀୟ ଯୁବତୀଙ୍କୁ ଜୋର ଜବରଦସ୍ତ ବିବାହ କରୁଛନ୍ତି। ଫଳରେ ତୀବ୍ବତୀୟଙ୍କ ଜନସଂଖ୍ୟା ଅନୁପାତକୁ ହ୍ରାସ ହୋଇ ଚାଲିଛି। ଦଲାଇଲାମାଙ୍କ ପରେ ସବୁଠୁ ବଡ଼ ଲାମା ପଞ୍ଚେନ ଲାମାଙ୍କୁ ୧୯୯୫ ମସିହାରେ ଚୀନ୍‌ ଅପହରଣ କରିନେଇଥିଲା। ୨୬ ବର୍ଷ ପରେ ବି ପଞ୍ଚେନ ଲାମାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳୁନଥିବା ତୀବ୍ବତୀୟ ଅଭିଯୋଗ କରିଛନ୍ତି।

Spread the love