ସ୍ୱାଧୀନତା ଅପରାଧ ନୁହେଁ, ସାମନ୍ତବାଦୀ ଚୀନ୍ ବିରୋଧରେ ଜାରି ରହିବ ଆମର ଗଣତନ୍ତ୍ର : ତାଇୱାନ

ତାଇପେଇ ୧।୧: ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍‌ ଶନିବାର ତାଙ୍କର ନବବର୍ଷ ସମ୍ବୋଧନରେ ଗଣତନ୍ତ୍ର ଓ ସ୍ୱାଧୀନତାର ଅନୁସନ୍ଧାନ ଅପରାଧ ନୁହେଁ, ଏଣୁ ହଙ୍ଗକଙ୍ଗ ସମର୍ଥନରେ ତାଇୱାନର ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ସେହିପରି ଚୀନ୍‌ ପକ୍ଷରୁ ତାଇୱାନ ଉପରେ ଲଗାତାର ବଢୁଥିବା ସାମରିକ ଓ କୂଟନୈତିକ ଚାପ ସତ୍ତ୍ୱେ ଆମ ଆମର ଗଣତନ୍ତ୍ର ଓ ସ୍ୱାଧୀନତା କାୟମ ରଖିବା ବୋଲି ଦେଶବାସୀଙ୍କୁ ଦୃଢତାର ସହ କହିଛନ୍ତି।

ଆମେ ଆମର କଷ୍ଟାର୍ଜିତ ସ୍ୱାଧୀନତାକୁ ଏମିତିରେ କାହାରିକୁ ସମର୍ପଣ କରିପାରିବାନି। ତାଇୱାନକୁ ଆମେ ଆହୁରି ବିକଶିତ କରିବା ଓ ସାରା ବିଶ୍ୱକୁ ଦେଖାଇଦେବା ସାମନ୍ତବାଦୀ ଚୀନ୍‌ ଚାପରେ ଆମେ ନଇଁବା ନାହିଁ ବୋଲି ୱେନ୍‌ କହିଛନ୍ତି। ଦୀର୍ଘ ଦଶନ୍ଧୀର ପୃଥକ ଶାସନ ପରେ ମଧ୍ୟ ତାଇୱାନକୁ  ଚୀନ୍‌ ନିଜର ବିଛିନ୍ନ ପ୍ରଦେଶ ବିବେଚନା କରୁଛି। ତେବେ ଆମେରିକା ସମେତ ବିଶ୍ୱର ଅନ୍ୟ ଗଣତନ୍ତ୍ରଙ୍କ ସହ ରଣନୈତିକ ସମ୍ପର୍କ ସ୍ଥାପନା କରି ଚୀନ ଆକ୍ରମକତାର ତାଇପେଇ ଏପର୍ଯ୍ୟନ୍ତ କଡା ଜବାବ ଦେଇ ଆସୁଛି।  ଏହା ସତ୍ତ୍ୱେ ବେଜିଂ ଲାଗାତାର ଯୁଦ୍ଧ ଧମକ ଦେଇ ତାଇୱାନର ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରୁଛି।

ତେବେ ଚୀନ ପକ୍ଷରୁ ବଢ଼ି ଚାଲିଥିବା ସାମରିକ ଓ କୂଟନୈତିକ ଚାପ ସତ୍ତ୍ୱେ ତାଇୱାନ ରାଷ୍ଟ୍ରପତି ନିଜ ଦେଶର ଗଣତନ୍ତ୍ର, ସ୍ୱାଧୀନତା ଓ ସହମତି ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନରେ ବିଶ୍ୱ ଶକ୍ତିଙ୍କ ସହ ନିଜର ସମ୍ପର୍କ ବିସ୍ତାର ଜାରି ରଖିଛନ୍ତି। ତାଇୱାନ ଫୋକସରେ ସେ କହିଛନ୍ତି ଯେ ଆମର ବିଶ୍ୱସ୍ତରୀୟ ଯୋଗଦାନ ଜାରି ରଖିବା, ଆର୍ଥିକ ଗତି ବଜାୟ ରଖିବା, ଆମ ସାମାଜିକ ସୁରକ୍ଷା ନେଟୱାର୍କକୁ ଆହୁରି ମଜଭୁତ କରିବା, ସ୍ଥିର ଶାସନ ଓ ଆମର ସାର୍ବଭୌମତ୍ୱର ସୁରକ୍ଷା ୨୦୨୨ରେ ଆମ ଯୋଜନାର ୪ଟି ମୁଖ୍ୟସ୍ତମ୍ବ ହେବ ।

୨୦୨୧ରେ ତାଇୱାନ ନିଜ ଚିହ୍ନିତ ବାୟୁ କ୍ଷେତ୍ରରେ ଚୀନ୍‌ ପିଏଲଏଏଫର ୯୫୦ଟି ଅନୁପ୍ରବେଶ ଗଣନା କରିଛି। ଯାହା ପୂର୍ବ ବର୍ଷ ତୁଳନାରେ ୬୦ ପ୍ରତିଶତରୁ ବି ଅଧିକ। ତେବେ ହୁଏତ ଆଗାମୀ ଦିନମାନଙ୍କରେ ଚୀନ୍‌ର ଏପରି ହରକତ ଆହୁରି ଅଧିକ ବଢିଯାଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମ ଆକଳନ କରୁଛନ୍ତି।

Spread the love