ଜାତିସଂଘ ସୁରକ୍ଷା ପରିଷଦ କଟକଣା କମିଟିର ନେତୃତ୍ୱ ନେଇ ଭାରତର ରାସ୍ତା ରୋକୁଛି ଚୀନ୍‌

ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରୁଥିବା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) କଟକଣା କମିଟିର ନେତୃତ୍ୱ ନେବା ପ୍ରସଙ୍ଗରେ ଭାରତ ପାଇଁ ପ୍ରତିବନ୍ଧକ ସାଜିଛି ଚୀନ୍‌। ଭାରତକୁ ଏଥିରୁ ଦୂରେଇ ରଖିବା ପାଇଁ ଚୀନ୍‌ ପୁଣି ଥରେ ଜାତିସଂଘର ଶୀର୍ଷ ସ୍ତରରେ ଆରମ୍ଭ କରି ଦେଇଛି ନିଜର ଖେଳ।

ଏହି କମିଟିର ସ୍ଥାୟୀ ପାଞ୍ଚ ସଦସ୍ୟଙ୍କ ମଧ୍ୟରୁ ଚୀନ୍‌ ଏହି କମିଟିର ନେତୃତ୍ୱ ଭାରତ ନେବାକୁ ବିରୋଧ କରୁଛି। କାରଣ ଏହି ତାଲିକାରେ ପାକିସ୍ତାନ ସମର୍ଥିତ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର, ହାଫିଜ ସଇଦ, ଜାକି-ଉର-ରେହମାନ ଲାଖଭି ସମେତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ଅନେକେ କୁଖ୍ୟାତ ଆତଙ୍କବାଦୀ ରହିଛନ୍ତି; ଯେଉଁମାନଙ୍କ ବିରୋଧରେ ଇସଲାମାବାଦ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଗତ ସପ୍ତାହରେ ଘୋଷଣା କରା ଯାଇଥିଲା ଯେ ଭାରତ ତିନିଟି ଗୁରୁତ୍ୱପୂର୍ଣ୍ଣ କମିଟି- ତାଲିବାନ ପ୍ରତିବନ୍ଧକ କମିଟି, ୨୦୨୨ ବର୍ଷ ପାଇଁ ଆତଙ୍କବାଦ ବିରୋଧୀ କମିଟି ଏବଂ ଲିବିଆର ପ୍ରତିବନ୍ଧକ କମିଟିର ନେତୃତ୍ୱ ନେବ। ଉଲ୍ଲେଖଯୋଗ୍ୟ, ତାଲିବାନ ସହିତ ପୃଥକ ଭାବରେ ମୁକାବିଲା କରିବା ପାଇଁ ଅଲ-କାଏଦା ଏବଂ ତାଲିବାନ ପ୍ରତିବନ୍ଧକ କମିଟି ୨୦୧୧ରେ ବିଭାଜିତ ହୋଇ ଯାଇଥିଲା। ତାଲିବାନ ପ୍ରତିବନ୍ଧକ କମିଟିରେ ରହି ଭାରତ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ସ୍ଥାନ ପାଇଛି।

ତେବେ, ୟୁଏନଏସସିରେ ଚୀନ୍‌ ପ୍ରଥମ ଥର ପାଇଁ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ୨୦୧୯ରେ ଭାରତ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିନେବା ପରେ ପାକିସ୍ତାନର ଅନୁରୋଧ କ୍ରମେ ଚୀନ୍‌ ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା। ହେଲେ, ଚୀନ୍‌ର ଏହି ପ୍ରୟାସ ଫଳପ୍ରଦ ହୋଇପାରି ନଥିଲା। କାରଣ ଅଧିକାଂଶ ସଦସ୍ୟ ଏହାକୁ ଭାରତର ଆଭ୍ୟନ୍ତରୀଣ ବିଷୟ ବୋଲି ଦର୍ଶାଇଥିଲେ।

Spread the love