ଟଙ୍କା ନ ହେବାରୁ ‘ବେଣ୍ଟ୍‌ଲି’ କାର୍‌ ପରିବର୍ତ୍ତେ ‘ପସ୍‌’ କାର୍‌ କିଣିବା କଥା ରଚନାରେ ଲେଖିଲା ୧୧ ବର୍ଷିୟ ବାଳକ

ବେଜିଙ୍ଗ୍‌: ୧୮ ବର୍ଷ ବୟସ ବେଳକୁ ସୌଖିନ ‘ବେଣ୍ଟ୍‌ଲି’ କାର୍‌ କିଣିବା ଲାଗି ଆବଶ୍ୟକ ଟଙ୍କା ସଂଗ୍ରହ କରି ନ ହେଉଥିବାରୁ ‘ପସ୍‌’ କାର୍‌ କିଣିବ ବୋଲି ଚୀନ୍‌ର ଜଣେ ୧୧ ବର୍ଷିୟ ବାଳକ ସ୍କୁଲ୍‌ ପାଇଁ ଲେଖିଥିବା ରଚନାରେ ଉଲ୍ଲେଖ କରିଛି ବୋଲି ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍‌ ପୋଷ୍ଟ୍‌’ସମ୍ବାଦପତ୍ର ରିପୋର୍ଟ କରିଛି। ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପୂର୍ବାଞ୍ଚଳ ଚୀନ୍‌ ଅନ୍ତର୍ଗତ ଜେଇଆଙ୍ଗ୍‌ ପ୍ରଦେଶର ସେ ବାଳକ ସାପ୍ତାହିକ ପାଠରେ (ଆସାଇନ୍‌ମେଣ୍ଟ୍‌) ତା’ର ଭାବନା ଓ କାର୍ଯ୍ୟକଳାପ ଉପରେ ଦିଆଯାଇଥିବା ରଚନା ବା ପ୍ରବନ୍ଧ ଲିଖନରେ ଏ କଥା ଲେଖିଛି। ସେ ଲେଖିଛି, ଜୀବନର ସବୁ କଥାରେ ଲୋକେ ଟଙ୍କା ଆବଶ୍ୟକ କରନ୍ତି। ତେଣୁ, ସେ ଆଶା କରିଥିବା ‘ବେଣ୍ଟ୍‌ଲି’ କାର୍‌ର ଦାମ୍‌ ୩ ନିୟୁତ ଚାଇନିଜ୍‌ ୟୁଆନ୍‌ ବା ଭାରତୀୟ ମୁଦ୍ରାରେ ୩.୪୫ କୋଟି ଟଙ୍କା। ତା’ର ଏ ଅଭିଳାଷ କେମିତି ପୂରଣ ହେବ ବୋଲି ଭାବି ସେ ବାଳକ ଆଚମ୍ବିତ ହୋଇଯାଉଛି।

ରଚନାରେ ପିଲାଟି ଆହୁରି ଲେଖିଛି, ଏବେ ମୁଁ ଭାବୁଛି ଯେ, ଜୀବନରେ ସବୁ ଜିନିଷ ପାଇଁ ଟଙ୍କା ଲୋଡ଼ା। ‘ବେଣ୍ଟ୍‌ଲି’ କାର୍‌ଟିଏ କିଣିବାକୁ ମୋର ଇଚ୍ଛା, କିନ୍ତୁ ତା’ର ଦାମ୍‌ ୩ରୁ ୪ ନିୟୁତ ୟୁଆନ୍‌। କେମିତି ମୋ ଅଭିଳାଷ ଚରିତାର୍ଥ କରିବି? ମତେ ୧୮ ବର୍ଷ ହେବା ପାଇଁ ଆଉ ୭ ବର୍ଷ ବାକି ଅଛି। ଟଙ୍କା ରୋଜଗାର ପାଇଁ ୭ ବର୍ଷ ଭିତରେ ମୁଁ  କ’ଣ କରିପାରିବି? ଏଥିପାଇଁ ଅବଶ୍ୟ ସେ କ‌େତୋଟି ଯୋଜନା କରିଛି। କିନ୍ତୁ, ସେ ଯୋଜନାରେ ଉପାର୍ଜିତ ଅର୍ଥ ମଧ୍ୟ ‘ବେଣ୍ଟ୍‌ଲି’ କାର୍‌ କିଣିବାକୁ ଯଥେଷ୍ଟ ନୁହେଁ। ସେ ଲେଖିଛି, ଯଦି ମୁଁ ଦୈନିକ ୧୦୦ ୟୁଆନ୍‌ ସଞ୍ଚୟ କରେ ତେବେ ୭ ବର୍ଷରେ ଯେତିକି ଅର୍ଥ ହେବ ତାହା ‘ବେଣ୍ଟ୍‌ଲି’ କାର୍‌ ଦାମ ପାଖାପାଖି ବି ହେବ ନାହିଁ। କାର୍‌ କିଣିବା ପାଇଁ ନିଜେ ଧାର୍ଯ୍ୟ କରିଥିବା ବୟସ ସୀମା ମଧ୍ୟରେ କାର୍‌ କିଣିବା ପାଇଁ ‘ପାର୍ଟ ଟାଇମ୍‌’ କାମ କରି ଉପାର୍ଜନ କରିବା କଥା ବି ସେ ଚିନ୍ତା କରିଛି। ସେ ଲେଖିଛି ଯେ, ୧୮ ବର୍ଷରେ ପଦାର୍ପଣ କଲେ ସେ ‘ପାର୍ଟ-ଟାଇମ୍‌’ କାମ କରିବ।

ତା’ଛଡ଼ା, ଆସନ୍ତା ୨ ବର୍ଷ ପାଇଁ ସେ ବାପାମାଆ ଓ ଜେଜଜେଜୀଙ୍କଠାରୁ ବାର୍ଷିକ ‘ଲାଇ ସି’ (ଲକି ମନି) ମଧ୍ୟ ପାଇବ। ଯଦି କୌଣସି ଅର୍ଥ ଖର୍ଚ୍ଚ ନ କରେ ତେବେ ସେ ମାତ୍ର ୩୦୦,୦୦୦ ୟୁଆନ୍‌ (୪୧ ହଜାର ଡଲାର୍‌) ସଂଗ୍ରହ କରିପାରିବ। ଏତିକି ଟଙ୍କାରେ ତ ‘ବେଣ୍ଟ୍‌ଲି’ କାର୍‌ କିଣି ହେବ ନାହିଁ। ତେଣୁ, ୧ ନିୟୁତ ୟୁଆନ୍‌ ଦେଇ ‘ପସ୍‌’ କାର୍‌ କିଣିବ ବୋଲି ସେ ସ୍ଥିର କରିଛି। ୱାଙ୍ଗ୍‌ ସାଙ୍ଗିଆଧାରି ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିବା ପରେ ତା’ର ଏହି ରଚନା ଅନ୍‌ଲାଇନ୍‌ରେ ଭାଇରାଲ୍‌ ହୋଇଛି।

Spread the love