ଡେନମାର୍କରୁ ‘ଚଲୋ ଇଣ୍ଡିଆ’ ନାରା ଦେଲେ ମୋଦୀ

ନୂଆଦିଲ୍ଲୀ ୦୪/୦୫:  ମୋଦୀମୟ ହେଲା ଡେନମାର୍କ । ତିନି ଦିନର ୟୁରୋପ ଗସ୍ତର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର ଡେନମାର୍କରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡେନମାର୍କ ପିଏମ ଫ୍ରେଣ୍ଡରିକ୍ସନ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଦୁଇ ପ୍ରଧାନମନ୍ତ୍ରୀ ଉଭୟ ଦେଶର ଟପ୍ ବିଜନେସ୍ ଲିଡର୍ସଙ୍କ ସହ ଆଲୋଚନା କରିଥିଲେ ।

ଏହା ପରେ ଡେନମାର୍କରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାକୁ ବିଲ୍ଲା ସେଣ୍ଟର ପହଞ୍ଚିଥିଲେ ମୋଦୀ । ସେଠାରେ ପ୍ରଧାନମନ୍ତ୍ରୀ ଚଲୋ ଇଣ୍ଡିଆର ନାରା ଦେଇଥିଲେ । ଯେତେବେଳେ ଭାରତ ଆଜାଦି କା ଅମୃତ ମହୋତ୍ସବ ମନାଉଛି ସେତେବେଳେ ପ୍ରତ୍ୟେକ ପ୍ରବାସୀ ଭାରତୀୟ ତାଙ୍କର ୫ଜଣ ବିଦେଶୀ ବନ୍ଧୁଙ୍କୁ ଭାରତ ଦର୍ଶନ ପାଇଁ ପଠାନ୍ତୁ । ସାରା ଦୁନିଆ ପାଇଁ ଇଣ୍ଡିଆ ଏକ ଡେଷ୍ଟିନେସନ ହେବ । ଏହି କାମ ପାଇଁ ଆପଣମାନଙ୍କୁ ରାଜଦୂତ ବନିବାକୁ ହେବ ।

ସେ କହିଥିଲେ ଯେ, ସାରା ଦୁନିଆକୁ ଭାରତ ଶସ୍ତାରେ ଭ୍ୟାକ୍ସିନ୍ ଦେଇଛି । ଯଦି ଭାରତ ମେଡ୍ ଇନ୍ ଇଣ୍ଡିଆ , ଶସ୍ତା ଏବଂ ପ୍ରଭାବୀ ଭ୍ୟାକ୍ସିନ୍ ଉପରେ କାମ କରି ନଥାନ୍ତା, ଅଧିକ ପରିମାଣରେ ଭ୍ୟାକ୍ସିନ୍ ଉତ୍ପାଦନ କରିନଥାନ୍ତା ତାହେଲେ ଦୁନିଆର ଅନେକ ଦେଶର କ’ଣ ପରିସ୍ଥିତି ହୋଇଥାନ୍ତା । ଆଜି ଭାରତ କିଛି ବି ହାସଲ କରିବାକୁ ସକ୍ଷମ ଅଟେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମେ ଭାରତବାସୀ ଗଛକୁ ପରମାତ୍ମା ଏବଂ ନଦୀକୁ ମା’ ବୋଲି ଭାବୁ । ଦୁନିଆର ଭଲ ପାଇଁ ଭାରତ ଓ ଡେନମାର୍କର ସହଭାଗିତା ଗୁରୁତ୍ବପୂର୍ଣ୍ଣ । ଭାରତ ଓ ଡେନମାର୍କର ସଂକଳ୍ପ ଗୋଟିଏ ।ଦୁନିଆକୁ ବର୍ବାଦ କରିବାରେ ଭାରତର କୌଣସି ଭୂମିକା ନାହିଁ । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଉପରେ ଭାରତ ୯ ବର୍ଷ ପୂର୍ବରୁ ତା’ର ଲକ୍ଷ୍ୟ ପୂରଣ କରିସାରିଛି । ଭାରତ ଏବେ ଶସ୍ତାରେ ସୌରଶକ୍ତି ଉତ୍ପାଦନ କରିପାରୁଛି । ତେବେ ଡେନମାର୍କରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ ।ଆଜି ସାରା ଦୁନିଆ ଭାରତୀୟଙ୍କ ପ୍ରଶଂସା କରୁଛି ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନ ବେଳେ କହିଥିଲେ ।

Spread the love