ଭାରତର ସବୁଠାରୁ ବଡ଼ କାର୍‌ ଚୋର; ୨୪ ବର୍ଷରେ ୫ ହଜାର କାର ଚୋରି, ଥାନାରେ ୧୮୦ ମାମଲା, ଏବେ ପୁଲିସ ଜାଲରେ

ନୂଆଦିଲ୍ଲୀ: ଭାରତର ସବୁଠାର ବଡ଼ କାର୍‌ ଚୋର। ୨୪ ବର୍ଷରେ ୫ ହଜାର କାର୍ ଚୋରି । ପୁଲିସକୁ ଚକ୍‌ମା ଦେଇ ଲୁଟୁଥିଲା ଦାମି ଦାମି ଗାଡ଼ି । ଧୁର୍ତ୍ତ ଚୋର ଅନୀଲ ଚୌହ୍ୱାନକୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ଅନୀଲ ପୂରା ଦେଶର ତାର ଚୋରି ନେଟ୍‌ୱାର୍କ ବିଛାଇ ରଖିଥିଲା। ଆଉ ୨୪ ବର୍ଷ ପରେ ଶେଷରେ ଧରାପଡ଼ିଲା ଭାରତର ବଡ଼ କାର ଚୋର ଅନୀଲ ଚୌହ୍ୱାନ।

କାର ଚୋରି ଗ୍ୟାଙ୍ଗର କିଙ୍ଗପିନ୍ ଥିଲା ୫୨ ବର୍ଷୀୟ ଅନୀଲ। ଏଥିପାଇଁ ତା ବିରୋଧରେ ୫ କି ୧୦ ନୁହେଁ ଏକଥାରେ ୧୮୦ଟି ମାମଲା ରୁଜୁ ହୋଇଛି। ଗିରଫ ବେଳେ ୬ଟି ଦେଶୀ ବନ୍ଧୁକ ସହ ୭ଟି ଅଫୁଟା ଗୁଳି ଜବତ କରିଛି ପୁଲିସ। ଏଥିସହିତ ଗୋଟିଏ ଚୋରି ମଟରସାଇକେଲ ଓ କାର ବି ଜବତ କରାଯାଇଛି।

କିଏ ଏହି ସାଂଘାତିକ ଚୋର ?
ଅନୀଲ ଚୋହ୍ୱାନ୍‌ର ଘର ଆସାମ ତେଜପୁର ଖାନପୁରରେ। ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏହି ଶିକ୍ଷିତ ଚୋର ୧୯୯୮ ମସିହାରେ ଚୋରି ଦୁନିଆଁରେ ପାଦ ଦେଇଥିଲା। ଏହି ୨୪ ବର୍ଷ ଭିତରେ ସେ ଭାରତର ବିଭିନ୍ନ ସ୍ଥାନରୁ ପୁଲିସକୁ ଚକ୍‌ମା ଦେଇ ଚୋରି କରିଛି ୫ ହଜାର କାର୍। ଏହି ମାମଲାରେ ସେ ପୂର୍ବରୁ ଅନେକ ଥର ଗିରଫ ହୋଇଛି ଓ ଜେଲ୍ ଯାଇଛି। ଏମିତିକି ନିଜାମୁଦ୍ଦିନ ଥାନାରେ ଏକ ଅପରାଧିକ ମାମଲା ପାଇଁ ଅନୀଲକୁ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଛି। ତା ବିରୋଧରେ ପୂର୍ବରୁ ୧୮୦ଟି ମାମଲା ରୁଜୁ ହୋଇଛି।

ଚୋର ଦୁନିଆର ଉସ୍ତାଦ ହେବା ପୂର୍ବରୁ ଅନୀଲ ଆସାମ ସରକାରରେ ଜଣେ କ୍ଲାସ୍‌ୱାନ୍ କଣ୍ଟ୍ରାକ୍ଟର ଥିଲା। ହେଲେ ଦୁର୍ନୀତି ନିଶାରେ ମସ୍‌ଗୁଲ ଥିବା ଅନୀଲ ପେଷାରେ ବି ବେଇମାନି କରି ଲୁଟିଥିଲା ପୁଳାପୁଳା ଟଙ୍କା। ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତା ଘରେ ଛଡ଼ାଉ କରି ସବୁ ସମ୍ପତ୍ତି ଜବତ କରିଦେଲା। ପରେ ଅନୀଲର ସୁବ ସମ୍ପତ୍ତି ନିଲାମୀ କରିଦିଆଯିବ ପରେ ସେ ପୁଣି ଫେରିଥିଲା ଚୋରି ଦୁନିଆକୁ।

ତେବେ କେବଳ କାର୍ ନୁହେଁ, ପୂର୍ବୋତ୍ତର ରାଜ୍ୟମାନଙ୍କରେ ଗଣ୍ଡା ସିଂଘ ଚୋରା ଚାଲାଣ କରୁଥିଲା ଅନୀଲ। ଏଥିପାଇଁ ମଧ୍ୟ ପୁଲିସ ଫାଇଲରେ ତା ବିରୋଧରେ ମାମଲା ଏଯାଏଁ ଗଡ଼ୁଛି। ପୁଲିସର ସୂଚନା ଅନୁସାରେ, ୨୦୧୫ରେ କୌଣସି ଏକ ମାମଲାରେ ଜଣେ ବିଧାୟକଙ୍କ ସହ ଗିରଫ ହୋଇଥିଲା ଅନୀଲ । ୫୨ ବର୍ଷୀୟ ଅନୀଲଙ୍କର ୩ ପତ୍ନୀ ଓ ୭ ପିଲାପିଲି ଥିବା ପୁଲିସ ସୂଚନା ଦେଇଛି।

କେମିତି ଗିରଫ ହେଲା ଚୋର ସରଦାର ?

ସେଣ୍ଟ୍ରାଲ୍ ଦିଲ୍ଲୀର ଡେପୁଟି କମିଶନର ଶ୍ୱେତା ଚୌହ୍ୱାନ ସୂଚନା ଅନୁସାରେ, ଦିଲ୍ଲୀରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଇ ଖବର ପାଇଥିଲା ପୁଲିସ। ଏହାପରେ ଚୋର ଧରିବାକୁ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟର ସ୍ପେଶାଲ ଷ୍ଟାଫ୍ ତଦନ୍ତ ଆରମ୍ଭ କରିଦେଲେ। ଏହି ସମୟରେ ବଡ଼ କାର୍ ଚୋର ଓ ଅସ୍ତ୍ର ଚାଲାଣକାରୀ ଅନୀଲ ଚୌହ୍ୱାନ ସେଣ୍ଟ୍ରାଲ ଦିଲ୍ଲୀର ଡିବିଜି ରୋଡ୍‌ ପୁଲିସ ଷ୍ଟେସନ୍‌ର ଏରିଆରେ ପହଞ୍ଚିଥିବା ଜାଣିବା ପରେ ସତର୍କ ହୋଇଥିଲା ପୁଲିସ। ଶେଷରେ ଟିମ୍ ଗଠନ କରି ଦଳବଳ ନେଇ ଅଗଷ୍ଟ ୨୩ ତାରିଖରେ ଅନୀଲକୁ ଗିରଫ କରିଥିଲା ପୁଲିସ୍।

Spread the love