ହତ୍ୟାକାରୀକୁ ଧରାଇଦେଲା ସିଗାରେଟରେ ଲାଗିଥିବା ଲାଳ

ମୁମ୍ବାଇ: ହତ୍ୟାକାରୀକୁ ଧରାଇଦେଲା ସିଗାରେଟରେ ଲାଗିଥିବା ଲାଳ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ୨୦୧୦ ମସିହାରେ ମୁମ୍ବାଇର ଧରାବୀରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠାରେ ଅଭିଯୁକ୍ତ ମହମ୍ମଦ ଶେଖ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଟେମ୍ପୋ ଭିତରେ ଗଳା କାଟି ହତ୍ୟା କରାଯାଇଥିଲା। ଏହା ପରେ ପୁଲିସ ଏହି ହତ୍ୟା ମାମଲାରେ ଶେଖଙ୍କ ସହ କାମ କରୁଥିବା ଆକବର ଖାନଙ୍କୁ ସନ୍ଦେହରେ ଗିରଫ କରିଥିଲା। ତେବେ ଏହି ମାମଲାରେ ଖାନଙ୍କ ବିରୋଧରେ ପୁଲିସ କୌଣସି ବଳିଷ୍ଠ ପ୍ରମାଣ ପାଇପାରିନଥିଲା । ହତ୍ୟା ସମୟରେ ଆକବର ସେଠାରେ ନଥିବାର କହିଥିଲେ | କିନ୍ତୁ ଏହି ଘଟଣାର ଅନୁସନ୍ଧାନ ସମୟରେ ପୁଲିସ ପ୍ରମାଣ ସ୍ୱରୂପ ଏକ ସିଗାରେଟ ବଟ( ସିଗାରେଟର ଶେଷ ଅଂଶ) କୁ ପାଇଥିଲା। ଆଉ ଏହି ସିଗାରେଟ୍ ବଟ ପୁଲିସକୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।

ସୂଚନା ମୁତାବକ ଅକ୍ଟୋବର ୧୧, ୨୦୧୦ରେ, ମହମ୍ମଦ ଶେଖଙ୍କ ମୃତଦେହ ଧରାବୀ ଜଙ୍କସନଠାରେ ଏକ ଟେମ୍ପୋରୁ ମିଳିଥିଲା ​​| ପ୍ରାୟ ପାଞ୍ଚ ଦିନ ପରେ ଶାହନଗର ପୁଲିସ ଏହି ହତ୍ୟା ମାମଲାରେ ଶେଖଙ୍କ ସହ କାମ କରୁଥିବା ଆକବର ଖାନଙ୍କୁ ଗିରଫ କରିଥିଲା। ତେବେ ହତ୍ୟାକାଣ୍ଡରେ ଆକବର ସମ୍ପୃକ୍ତ ନଥିବା ଓ ହତ୍ୟା ସମୟରେ ସେଠାରେ ନଥିବା କହିଥିଲା | ଆଉ ଆକବର ବିରୋଧରେ ପ୍ରମାଣ ଯୋଗାଡ ପାଇଁ ପୁଲିସ ଲାଗିପଡ଼ିଥିଲା | ଶେଷରେ ପୁଲିସ କର୍ମଚାରୀ ଏବଂ ଫୋରେନସିକ୍ ବିଶେଷଜ୍ଞ ଟେମ୍ପୋରୁ ପାଇଥିବା ସିଗାରେଟ୍ ବଟର ଏକ ନମୁନା ମଧ୍ୟ ପାଇଥିଲେ | ଏହି ସିଗାରେଟ ବଟରୁ ଫୋରେନସିକ୍ ବିଶେଷଜ୍ଞମାନେ ଲାଳରୁ ଡିଏନଏ ନମୁନା ବାହାର କରିବାରେ ସଫଳ ହୋଇଥିଲେ। ଆଉ ଅଭିଯୁକ୍ତ ଖାନଙ୍କ ଡିଏନଏ ସହିତ ମେଳ ହେବା ପରେ ତାଙ୍କ ବିରୋଧରେ ପ୍ରମାଣକୁ କୋର୍ଟରେ ଉପସ୍ଥାପନ କରାଯାଇଛି । ପୁଲିସ କହିଛି ଯେ ଅଭିଯୁକ୍ତ କେବେ ଭାବି ନଥିବେ ଯେ ତାଙ୍କର ଗୋଟିଏ ଛୋଟ ଭୁଲ ଅର୍ଥାତ୍ ସେଠାରେ ସିଗାରେଟ୍ ବଟ ପକାଇବା ତାଙ୍କୁ ଏତେ ମହଙ୍ଗା ପଡିପାରେ । ସମସ୍ତ ଦିଗକୁ ଦେଖି ପୁଣି ସିନ ରିକ୍ରିଏଟ କରିବାକୁ ପୁଲିସ କହିଛି।

Spread the love