ଭାରତୀୟ ନାଗରିକ’ ପରିଚୟ ସବୁଠୁ ଉପରେ: ସବୁ ନାଗରିକଙ୍କର ଏଠି ସମାନ ସୁଯୋଗ, ଅଧିକାର ଓ ଦାୟିତ୍ବ ରହିଛି
ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି। ସେଗୁଡ଼ିକ ମଧ୍ୟରେ ଜାତି, ବର୍ଣ୍ଣ, ଭାଷା ଆଦି ଅତ୍ୟନମ। କିନ୍ତୁ ‘ଭାରତୀୟ ନାଗରିକ’ ପରିଚୟ ଏସବୁର ଊର୍ଦ୍ଧ୍ବରେ। ୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶର ସତ୍ୟ ଓ ଅହିଂସା ନୀତିକୁ ବିଶ୍ବର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସଫଳତାର ସହିତ ଉପଯୋଗ କରାଯାଇଥିବାର ଉଜ୍ଜ୍ବଳ ଉଦାହରଣ ରହିଛି। ପ୍ରାଚୀନ ଯୁଗରୁ ଭାରତର ତୃଣମୂଳ ସ୍ତରରେ ଗାଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଦୀର୍ଘବର୍ଷର ଔପନିବେଶିକ ଶାସନ ସେସବୁକୁ ନଷ୍ଟ କରିଦେଇଛି। ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ଏକ ନୂଆ ସକାଳ ଦେଖିଲା। ଆମେ କେବଳ ବିଦେଶୀ ଶାସନରୁ ମୁକ୍ତ ହେଲୁ ନାହିଁ; ଆମର ଭାଗ୍ୟକୁ ପୁନର୍ବାର ଲେଖିବାର ସ୍ବାଧୀନତା ପାଇଲୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।
୭୭ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ସମସ୍ତଙ୍କ ପାଇଁ ଏହା ଏକ ପବିତ୍ର ଏବଂ ଗୌରବର ଉତ୍ସବ। ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବୟସ୍କ ବ୍ୟକ୍ତିମାନେ ଯେଭଳି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଉକ୍ତ ଉତ୍ସବକୁ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହା ଆମ ପାଇଁ ଆନନ୍ଦ ଏବଂ ଗୌରବର ବିଷୟ। ଅତ୍ୟନ୍ତ ଉତ୍ସାହର ସହିତ ଲୋକମାନେ ଆଜାଦୀ କା ଅମୃତ ମହୋତ୍ସବକୁ ପାଳନ କରୁଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ପରିଚିତ ଏବଂ ଅପରିଚିତ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାନ୍ ମହିଳା ସ୍ବାଧୀନତା ସଂଗ୍ରାମୀ ଯଥା ମାତାଙ୍ଗିନୀ ହାଜରା ଏବଂ କନକଲତା ବରୁଆ ଭାରତ ମାତା ପାଇଁ ସେମାନଙ୍କ ଜୀବନ ଦାନ କରିଛନ୍ତି। ଜଟିଳ ସତ୍ୟାଗ୍ରହ ରାସ୍ତାରେ ଦେଶର ଜନକ ମହାତ୍ମା ଗାନ୍ଧୀଙ୍କ ସହ ସଦାସର୍ବଦା ପାଦ ସହ ପାଦ ମିଳାଇଛନ୍ତି ମା କସ୍ତୁରବା ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହା ମଧ୍ୟ କହିଛନ୍ତି, ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ସବୁଠୁ ବଡ଼ ଅସ୍ତ୍ର ଏବଂ ଜାତୀୟ ଶିକ୍ଷା ନୀତି ଦେଶରେ ଭିନ୍ନତା ଆଣିବା କାର୍ଯ୍ୟ ଆରମ୍ଭ କରିଦେଇଛି। ଭାରତ ଆଜି ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପାଲଟିଛି। ଏବେ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି।
ସ୍ବାଧୀନତା ଦିବସ ଏହା ମନେ ପକାଇ ଦେଉଛି ଯେ ଆମେ କେବଳ ବ୍ୟକ୍ତି ନୁହଁନ୍ତି, ଏକ ବଡ଼ ସଂପ୍ରଦାୟର ଅଂଶ। ସେହି ସଂପ୍ରଦାୟ ହେଉଛି ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ନାଗରିକମାନଙ୍କର। ଭାରତ କେବଳ ନିଜକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ କରିନାହିଁ ବରଂ ଏହାର ମର୍ଯ୍ୟାଦା ବଢ଼ାଇଛି। ବିଶ୍ବସ୍ତରରେ ମୁଦ୍ରାସ୍ଫୀତି ଚିନ୍ତାର କାରଣ ପାଲଟିଥିବାବେଳେ ଭାରତରେ ଏହାକୁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ରଖିଛନ୍ତି। ସରକାର ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ସହିତ ଗରିବ ଲୋକଙ୍କୁ ବ୍ୟାପକମାତ୍ରାରେ ସୁରକ୍ଷା ପ୍ରଦାନ କରିଛନ୍ତି। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସାରା ବିଶ୍ବ ଭାରତ ଉପରେ ନଜର ରଖିଛି। ଜଟିଳ ସମୟରେ ଭାରତର ଅର୍ଥନୀତି ସେସବୁକୁ କେବଳ ସଫଳତାର ସହିତ ମୁକାବିଲା କରିନାହିଁ ବରଂ ଅନ୍ୟ ଦେଶମାନଙ୍କ ପାଇଁ ଆଶାର ଆଲୋକବର୍ତ୍ତିକା ପାଲଟିଛି। ଭାରତ ସମସ୍ୟାକୁ ସୁଯୋଗରେ ପରିଣତ କରିବା ସହିତ ଉଚ୍ଚ ଜିଡିପି ଅଭିବୃଦ୍ଧି ହାସଲ କରିଛି। ଆମର ଅନ୍ନଦାତା କୃଷକମାନେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଛନ୍ତି। ଦେଶ ସେମାନଙ୍କ ନିକଟରେ ଋଣୀ ବୋଲି ରାଷ୍ଟ୍ରପତି କହିଛନ୍ତି। ବଞ୍ଚିତ ବର୍ଗର ଲୋକଙ୍କୁ ଅଗ୍ରାଧିକାର ପ୍ରଦାନକୁ ଆମ ନୀତିରେ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ନିଆଯାଇଥିବା ପଦକ୍ଷେପ ଦ୍ବାରା ଗତ ଦଶନ୍ଧିରେ ବହୁସଂଖ୍ୟକ ଲୋକ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି।
ପ୍ରତ୍ୟେକ ଭାରତୀୟ ସମାନ। ପ୍ରତ୍ୟେକଙ୍କର ସମାନ ସୁଯୋଗ, ଅଧିକାର ଏବଂ ଦାୟିତ୍ବ ଦେଶପ୍ରତି ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳାମାନେ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ବ୍ୟାପକଭାବେ ଯୋଗଦାନ ଦେଉଛନ୍ତି। ବିକାଶ ହେଉ କିମ୍ବା ଦେଶକୁ ସେବା ଯୋଗାଇବା କ୍ଷେତ୍ରରେ ମହିଳାମାନଙ୍କର ପ୍ରମୁଖ ଭୂମିକା ରହିଛି। ଏହା ଦେଶର ଗୌରବ ବଢ଼ାଇଛି ବୋଲି ସେ କହିଛନ୍ତି।