ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା; କୃଷକ ଓ ଶ୍ରମିକଙ୍କ ସଂଗଠନର ପ୍ରତିବାଦ

ଭୁବନେଶ୍ୱର, ତା୦୧/୦୬/୨୩: ଯେଉଁ ମହିଳା କୁସ୍ତି ଯୋଦ୍ଧା ମାନେ ଦେଶ ବିଦେଶରେ ନିଜର କଳା କୈାଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ତାହାର ଅସଲ ଚେହେରା ପଦାରେ ପଡିଯାଇଛି ବୋଲି ଆଜି କୃଷକ ଓ ଶ୍ରମିକ ସଂଗଠନ ମାନଙ୍କ ଡାକରାରେ ଆୟୋଜିତ ପ୍ରତିବାଦରେ କୁହାଯାଇଛି।

ମହିଳା କୁସ୍ତି ଯୋଦ୍ଧା ମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୈାନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।। ଅପରପକ୍ଷରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଯେପରି ଅମାନବୀୟ ଓ ବର୍ବୋରୋଚିତ ଆଚରଣ କରିଚାଲିଛି, ତାହାକୁ ସେମାନେ ତୀବ୍ର ନିନ୍ଦା କରିଛନ୍ତି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଟ୍ରେଡ ୟୁନିୟନ ମାନଙ୍କର ମିଳିତ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ଦେଶର ସମ୍ମାନ ମାନଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ ଯୈାନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱରେ ଭାରତର ଛବିକୁ ମଳିନ କରିଛି । ଏପରିକି ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ସତ୍ବେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନାହିଁ କିମ୍ବା ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ପଦଚ୍ୟୁତ କରାଯାଇନାହିଁ। ଅପର ପକ୍ଷରେ ଖରା ଓ ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଦିଲ୍ଲୀ ପୋଲିସ୍ ରାତିରେ ଗୁଣ୍ଡା ଭଳି ସେମାନଙ୍କ ଉପରେ ଆକ୍ରମଣ କରିଛି, ଯାହା ‘କଟା ଘା’ରେ ଲୁଣ ଦେବା ଭଳି ଲଜ୍ଜା ଜନକ ନିଦର୍ଶନ ସୃଷ୍ଟି କରିଛି । ମହିଳା କୁସ୍ତି ଯୋଦ୍ଧା ମାନେ ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଆଇନ୍ ର ଶାସନ କଥା କହୁଥିବା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲଜ୍ଜା ଜନକ ଭାବେ ନିରବଦ୍ରଷ୍ଟା ସାଜିଛନ୍ତି ।

କୃଷକମାନଙ୍କ ଆନ୍ଦୋଳନକୁ ଦମନ କରିବା ଓ ପିଟିବା ପରେ ଏବେ ଦେଶ ପାଇଁ ମେଡାଲ ଆଣିଥିବା ଆମ ଝିଅ ବା ମହିଳା କୁସ୍ତି ଖେଳାଳିଙ୍କ ଉପରେ ମଧ୍ୟ ମୋଦୀ ସରକାର ପୋଲିସ ଲଗାଇ ଅତି ନଗ୍ନ ଭାବେ ଆକ୍ରମଣ ଆରମ୍ଭ କରି ଦେଇଛି । ଦିଲ୍ଲୀର ସୀମାକୁ ସିଲ୍ କରା ଯାଉଛି । କିନ୍ତୁ ବଳାତ୍କାରୀ ସାଂସଦକୁ ଗିରଫ୍ କରାଯାଉନାହିଁ ଏବଂ ସେ ବାହାରେ ବୁଲି ବୁଲି ଟିଭିକୁ ସାକ୍ଷାତକାର ଦେଇଚାଲିଛି।

ଭାରତକୁ ଗଣତନ୍ତ୍ରର ଜନନୀ ଭାବେ ବର୍ଣ୍ଣନା କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଥିବା ଓ ଦେଶର ନୂଆ ସଂସଦ ଭବନ ଉଦଘାଟନ ସମୟରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଦିଲ୍ଲୀ ପୋଲିସର ଲଜ୍ଜା ଜନକ ଆକ୍ରମଣ ଖୋଦ୍ ଦେଶର ଜନନୀ ମାନଙ୍କ ପ୍ରତି ଆକ୍ରମଣ କହିଲେ ଭୁଲ୍ ହେବନାହିଁ । ଯାହା ଫଳରେ ବ୍ୟଥିତ ହୋଇ ସେମାନେ ପାଇଥିବା ମେଡାଲ୍ ଗୁଡିକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ସେମାନଙ୍କୁ ଦିଲ୍ଲୀ ଯନ୍ତରମନ୍ତର ରେ ଆଉ ଧାରଣା ଓ ପ୍ରତିବାଦ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ଖୋଲାଖୋଲି ଧମକ ଦେଇଛି, ଯାହା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ନଗ୍ନ ଆକ୍ରମଣ ।

ଏହି ପରିପ୍ରେକ୍ଷୀରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନକୁ ସଂହତି ଜଣାଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଶ୍ରମିକ ସଂଗଠନ ମାନେ ଆଜି (୧ ଜୁନ୍, ୨୦୨୩) ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି ।

#ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ବିଜେପି ର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ କୁସ୍ତି ଯୋଦ୍ଧା ମହାସଂଘ ର ସଭାପତି ପଦବୀରୁ ବହିଷ୍କାର କରିବା,
#ସର୍ବୋଚ୍ଚ ନ୍ୟାୟାଳୟ ର ଜଣେ ଅବସରପ୍ରାପ୍ତ ବିଚାରପତି ଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ,
#ଅଭିଯୋଗକାରୀଙ୍କ ଏଫ .ଆଇ. ଆର୍. ଆଧାରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ ଗିରଫ କରିବା ,
#ଆମ ଦେଶ ର ସମ୍ମାନ, ଗର୍ବ ଏବଂ ଗୌରବ ଜାତୀୟ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦେବାକୁ ତଥା ସେମାନଙ୍କ ନ୍ୟାୟ ସଙ୍ଗତ ଆନ୍ଦୋଳନ କୁ ସଂହତି ଜଣାଇ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା।
ବିଜେପି ସରକାରଙ୍କ ମହିଳା ବିରୋଧୀ ଦୋମୁହାଁ ନୀତି ବିରୁଦ୍ଧରେ ଏକଜୁଟ ହେବାକୁ ଓ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ସେମାନେ ସମସ୍ତ ବର୍ଗର ନାଗରିକମାନଙ୍କୁ ନିବେଦନ କରିଛନ୍ତି ।

ଆଜିର ଏହି ପ୍ରତିବାଦ ବିକ୍ଷୋଭରେ ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡ଼ିଶା, ଓ
ଟ୍ରେଡ ୟୁନିୟନ ମାନଙ୍କର ମିଳିତ ମଞ୍ଚ (ଜାତୀୟ ଓ ସ୍ୱାଧୀନ ଟ୍ରେଡ ୟୁନିୟନ ସମୂହ)ଓ ଛାତ୍ର ସଂଗଠନର ନେତୃବୃନ୍ଦ ମହେନ୍ଦ୍ର ପରିଡ଼ା, ବିଷ୍ଣୁ ମହାନ୍ତି, କ୍ଷୀରୋଦ ସିଂହଦେଓ, ନରେନ୍ଦ୍ର ମହାନ୍ତି, ଜୟସେନ ମେହେର, ସୁର ଜେନା, ଅଭିରାମ ବେହେରା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଣତି ମିଶ୍ର, ରାଧାକାନ୍ତ ସେଠୀ, ବିଜୟ ଜେନା, ପରିଲତା ମହାପାତ୍ର, ପ୍ରମିଳା, ସଂଘମିତ୍ରା ଜେନା, ପ୍ରଭାକର ପଲେଇ, ସୁଦର୍ଶନ ପ୍ରଧାନ, ନିରଞ୍ଜନ ମହାନ୍ତି, ସ୍ବସ୍ତି ସଙ୍ଗୀତା ଦଳେଇ, ବୀରେନ୍ଦ୍ର ପ୍ରସାଦ ଦାସ, ଜୟନ୍ତ ଦାସ, ଲେଲିନ୍ କୁମାର, ରାଜେନ୍ଦ୍ର ମଲ୍ଲିକ, ରାଜ ନାରାୟଣ ଡାଳୁଆ, ସଂଯୁକ୍ତା ମହଲ, ପ୍ରଦୀପ୍ତ ନାୟକ, ମାନସ ଜେନା, ବଂଶୀଧର ପରିଡ଼ା, ବିଶ୍ୱପ୍ରିୟ କାନୁନଗୋ ପ୍ରମୁଖ ନେତୃତ୍ବ ନେଇଥିଲେ ।

Spread the love