ସ୍ମାରକୀ ନିର୍ମାଣ ପାଇଁ ଦାବି: ଜୀବନ ସାରା ବାସନ୍ଦ ନେହରୁଙ୍କ ‘ଆଦିବାସୀ ପତ୍ନୀ’ଙ୍କ ଦେହାନ୍ତ
ଧାନବାଦ: ୧୯୫୯ ମସିହାରେ ଏକ ଡ୍ୟାମ୍ ଉଦ୍ଘାଟନ ପାଇଁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସ୍ବାଗତ କରିବା ଅବସରରେ ନେହରୁ ବୁଧନୀ ମାନଝିଙ୍କ ବେକରେ ଫୁଲମାଳ ପକାଇ ଦେଇଥିଲେ। ତାଙ୍କ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହାକୁ ବିବାହ ବୋଲି ଧରିନେଇ ଏବଂ ବୁଧନୀ ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ। ଏବେ ବୁଧନୀ ମାନଝିଙ୍କ ପରଲୋକ ପରେ ନେହରୁଙ୍କ ସେଇ ‘ଆଦିବାସୀ ପତ୍ନୀ’ଙ୍କ ପାଇଁ ତାଙ୍କ ସମ୍ପ୍ରଦାୟର ଲୋକେ ଓ ସ୍ଥାନୀୟ ନେତାମାନେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି କରିଛନ୍ତି। ବୁଧନୀଙ୍କର ଚାରିଦିନ ପୂର୍ବେ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନେହେରୁ ୧୯୫୯ ମସିହାରେ ଡ୍ୟାମ୍ ଉଦ୍ଘାଟନ ଉତ୍ସବରେ ଯେତେବେଳେ ବୁଧନୀଙ୍କୁ ମାଲ୍ୟାର୍ପଣ କରିଥିଲେ ସେତେବେଳେ ସେ ୧୬ ବର୍ଷର ହୋଇଥିଲେ ଏବଂ ଜଣେ ପ୍ରକଳ୍ପ କର୍ମୀ ଥିଲେ। ନେହରୁଙ୍କ ମାଳ ତାଙ୍କ ପାଇଁ କାଳ ପାଲଟିଥିଲା, କାରଣ ସାନ୍ତାଳ ଆଦିବାସୀମାନେ ଏହାକୁ ‘ବିବାହ’ ବୋଲି ଧରି ନେଇଥିଲେ। ତାଙ୍କୁ ଜାତିରୁ ବାସନ୍ଦ କରିବା ସହ ଗାଁରେ ପ୍ରବେଶ କରିବାକୁ ମନା କରାଯାଇଥିଲା।
ବୁଧନୀଙ୍କ ଜୀବନର ଏହି ଦୁଃଖଦ କାହାଣୀର ଅନ୍ତ ଘଟିଥିଲା ନଭେମ୍ବର ୧୭ରେ ଯେତେବେଳେ ବୁଧନୀ ତାଙ୍କ ଝିଅ ରତ୍ନାଙ୍କ ସହ ରହୁଥିବା ପଞ୍ଚେତର ଏକ ଝୁମ୍ପୁଡ଼ିରେ ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ରାଜନେତା ଓ ଅଧିକାରୀଙ୍କ ସମେତ ଶତାଧିକ ଲୋକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ‘ପ୍ରଥମ ଆଦିବାସୀ ପତ୍ନୀ’ ବୋଲି ବର୍ଣ୍ଣନା କରି ତାଙ୍କୁ ଶେଷ ବିଦାୟ ଦେଇଥିଲେ। ସେମାନେ ସ୍ଥାନୀୟ ପାର୍କରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କ ସମ୍ମାନରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଦାବି କରିଥିଲେ। ସେମାନେ ରତ୍ନା (୬୦)ଙ୍କୁ ପେନସନ୍ ଦେବାକୁ ମଧ୍ୟ ଦାବି କରିଛନ୍ତି। ରତ୍ନାଙ୍କ ପୁଅ ବାପି (୩୫) ଡିଭିସିରେ ଆକାଉଣ୍ଟାଣ୍ଟ ଅଛନ୍ତି।
ସୂଚନାଯୋଗ୍ୟ, ୧୯୬୨ରେ ବୁଧନୀଙ୍କୁ ଅନ୍ୟ ଡିଭିସି ଠିକା କର୍ମଚାରୀଙ୍କ ସହ ଛଟେଇ କରାଯାଇଥିଲା। ସେ ପଡ଼ୋଶୀ ବଙ୍ଗଳାର ପୁରୁଲିଆର ସାଲଟୋରାକୁ ଚାଲିଆସି ଦିନ ମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଏକ କୋଲିୟରିର ଠିକା କର୍ମଚାରୀ ସୁଧୀର ଦତ୍ତ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ। ୧୯୮୫ ମସିହାରେ ରାଜୀବ ଗାନ୍ଧୀ ଆସନସୋଲ ଗସ୍ତ କରିବା ସମୟରେ ବୁଧନୀଙ୍କ ଦୁଃଖ ଶୁଣି ତାଙ୍କୁ ଡିଭିସିରେ ଚାକିରି ଦେବାର ବ୍ୟବସ୍ଥା କରିଥିଲେ, ଯେଉଁଠାରୁ ସେ ୨୦୦୫ରେ ଅବସର ନେଇଥିଲେ।