ଶେଷ ହେଲା କିଟ୍‍ ରୌପ୍ୟ ଜୟନ୍ତୀ ସମାରୋହ: ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ

ଦୀର୍ଘ ୩ମାସ ଧରି ଚାଲିଥିବା କିଟ୍‍ର ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ଶାନ୍ତି ଶୃଙ୍ଖଳାର ସହ ଉଦ୍‍ଯାପିତ ହୋଇଛି । କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ କିଟ୍‍ ଉତ୍ସବମୁଖର ରହିଥିଲା । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ନିରାଡ଼ମ୍ବର ଭାବେ ଏହା ଶେଷ ହୋଇଛି । ଉଦ୍‍ଯାପନୀ ଉତ୍ସବରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର.ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ୍‍ ଏଲ୍‍ ମିତ୍ର, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରନ୍‍ଜିତ୍‍ ସିଂ, ଡା ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । କିଟ୍‍ର ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଦୀର୍ଘ ୩ମାସ ଧରି କିଟ୍‍ କ୍ୟାମ୍ପସ୍‍ ଉତ୍ସବମୁଖର ରହିଥିଲା । କିଟ୍‍ର ବିଭିନ୍ନ କ୍ୟାମ୍ପସକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଥିବା ବେଳେ ପ୍ରତିଦିନ ସଂଧ୍ୟାରେ ବିଭିନ୍ନ କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ମେଳାର ମଜା ନେଇଥିଲେ କିଟ୍‍ର ଛାତ୍ରଛାତ୍ରୀ ଓ କର୍ମଚାରୀ ।

ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସର୍ବଭାରତୀୟ କୁଳପତି ସମ୍ମିଳନୀ, କିଟ୍‍ର ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ, ଅଧ୍ୟୟନରତ ଛାତ୍ରଛାତ୍ରୀ ସମ୍ମିଳନୀ, ଅଭିଭାବକ ସମ୍ମିଳନୀ, କିଟ୍‍ କର୍ମଚାରୀଙ୍କ ପରିବାର ବନ୍ଧୁ ମିଳନ, ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାର ନେଇ ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମା ଓ ସହର ସମେତ ଭାରତର ସମସ୍ତ ମହାନଗର ଏବଂ ବିଶ୍ୱର ୩୦ଟି ଦେଶରେ ମିନି ମାରଥନ୍‍ ଭଳି ବହୁ ମେଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରୌପ୍ୟ ଜୟନ୍ତୀ ପାଳନର ଶେଷ ୧୫ ଦିନ କିଟ୍‍ ସିଲ୍‍ଭର କାର୍ଣ୍ଣଭାଲ ଆୟୋଜନ କରାଯାଇଥିଲା । ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ ଏଥି ସହ ଅନ୍ୟ ଏକ ନୂତନ କାର୍ଯ୍ୟକ୍ରମ କନ୍‍ଭର୍‍ଜେନ୍‍ସ ସାମିଲ୍‍ କରାଯାଇଥିଲା ।

ଜାତୀୟ ସଂହତି ଓ ଏକତା ବଜାୟ ରଖିବାର ପ୍ରୟାସ ସ୍ୱରୂପ କିଟ୍‍ରେ ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ ୨୫ ରାଜ୍ୟର ୨୫ଟି ବଛା ବଛା ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ରେକର୍ଡ ପରିମାଣର ୪୦୩୦ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା । ଦୀର୍ଘ ୩ ମାସ ଧରି ଅତି ଶାନ୍ତି ଶୃଙ୍ଖଳାର ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ରୌପ୍ୟ ଜୟନ୍ତୀ ପାଳନ କରିଥିବା ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ସହ ନିକଟରେ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହୋଇଥିବା କିଟ୍‍ ଛାତ୍ରୀ ଭବାନୀ ସଙ୍ଗୀତାଙ୍କୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ ।

Spread the love