ହକରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ମିଳିବ ୨ଲକ୍ଷ ଟଙ୍କା, ଜିଲ୍ଲାସ୍ତରରେ ହେବ ୱାର୍କସେଡ୍‌

ଭୁବନେଶ୍ବର ୩୦।୧୧: ରାଜ୍ୟର ସମ୍ବାଦପତ୍ର ହକରମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।

ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ। କୋଭିଡ ଯୋଗୁ ସେମାନେ  ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର  ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।  କାମ କରିବା ପାଇଁ ବହୁତ ସମୟରେ ହକରମାନେ ଅସୁବିଧାରର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ  ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍‌ ନିର୍ମାଣ କରି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି । ଏହାସହିତ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହକରମାନଙ୍କର ଏକ ଡିଜିଟାଲ ଡାଟା ବେସ୍‌ ପରିଚାଳନା କରାଯାଇ ସମସ୍ତ ହକରମାନଙ୍କୁ ଜିଲ୍ଲା ସ୍ତରରେ ଯାଞ୍ଚ କରାଯାଇ ପରିଚୟ ପତ୍ର  ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Spread the love