ଅପରାଧ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ବର, ୧୪।୧୨  ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହୋଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ତେଣୁ ସାଇବର ଅପରାଧ ତଥା ତଦ୍ ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ  ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ ।   ଏହା ଦ୍ଵାରା ଏହି ଥାନାର  ସଖ୍ୟା ୧୪ରେ ପହଞ୍ଚିବ । କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ,ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବ।

ଏହି ଥାନା ମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେଥି  ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏ.ଏସ୍.ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ  ଆକାଉଣ୍ଟସ ଆନାଲିଷ୍ଟ, ଆଇଟି ଏକ୍ସପର୍ଟ  ଓ ସାଇବର ଫୋରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

Spread the love