୨୦୨୫ ସୁଦ୍ଧା ଓଡ଼ିଶା ହେବ ଡାଟା ସେଣ୍ଟର ହବ୍‌: ରାଜ୍ୟ କ୍ୟାବିନେଟଙ୍କ ନିଷ୍ପତ୍ତି

୨୦୨୫ ସୁଦ୍ଧା ଓଡ଼ିଶାକୁ ଏକ ଡାଟା ସେଣ୍ଟର ହବ୍‌ରେ ପରିଣତ କରାଯିବ। ଦେଶର ପ୍ରମୁଖ ୫ଟି ଡାଟା ସେଣ୍ଟର ହବ୍‌ ମଧ୍ୟରେ ସ୍ଥାନିତ କରିବା ଲକ୍ଷ୍ୟରେ ଓଡ଼ିଶା ଡାଟା ସେଣ୍ଟର ପଲିସି-୨୦୨୨କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। କାଳିଆ ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆଗାମୀ ତିନିବର୍ଷ ଯାଏଁ କାଳିଆ ଯୋଜନା ଜାରି ରହିବ। ଏଥିପାଇଁ ପ୍ରାୟ ୬ ହଜାର କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରାଯାଇଛି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିଲା। ପୂର୍ବଭଳି ଦୁଇଥର କାଳିଆ ସହାୟତା ମିଳିବ। ଦୁଇ ହଜାର ଟଙ୍କା ଲେଖାଏଁ ଥରେ ଅକ୍ଷୟ ତୃତୀୟା ଓ ଆଉଥରେ ନୂଆଖାଇରେ ମିଳିବ। ଗତକାଲି ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଟର୍ଣ୍ଣ କି ଆଧାରରେ ସମଲେଇ ଯୋଜନାରେ ମା ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୧୧୪ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଅବଢା ଯୋଜନାରେ ପୁରୀର ବିକାଶ ପାଇଁ ୧୦୨ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ସମ୍ମତି ଦେଇଛି। ସେହିପରି ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୮୨୩ କୋଟି ଟଙ୍କାରେ ଆଗାମୀ ୫ ବର୍ଷ ଭିତରେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତି ହୋଇଛି। ଏହାଦ୍ୱାରା ୭୪୪୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇପାରିବ।
Spread the love