କମିସନରେଟ୍‌ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୈତ୍ରୀବିହାର ଥାନା ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକ ଉପସ୍ଥିତ ଥିଲେ ।ପରେ ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ଅନୁଷ୍ଠିତ ଭୁବନେଶ୍ୱର-କଟକ କମିିସନରେଟ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପରେଡରେ ଅଭିବାଦନ ଗ୍ରହଣ କରି ୧୫ବର୍ଷର ଲମ୍ବା ଯାତ୍ରାରେ ଗୁଣବତ୍ତା ଓ ପ୍ରସାରରେ କମିସନରେଟ ପୋଲିସ ଯଥେଷ୍ଟ ଅଗ୍ରଗତି କରିଥିବା କହିଛନ୍ତି। କୋଭିଡ ମହାମାରୀ ସମୟରେ କମିସନରେଟ ପୋଲିସର ଉତ୍ସର୍ଗୀକୃତ ସେବା ନେଇ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛନ୍ତି ନବୀନ।

ଏହି ଉତ୍ସବରେ ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ କମିସନରେଟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହି ଅବସରରେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଥିବା ୯ଜଣ ଶ୍ରେଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । କମିସନରେଟ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ଆଗକୁ ଆହୁରି ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସାଇବର କ୍ରାଇମକୁ କିଭଳି ରୋକା ଯାଇପାରିବ ସେନେଇ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସେପଟେ କମିସନରେଟ ପୋଲିସ ପାଇଁ କୋଭିଡ ମୁକାବିଲା, ମେକ୍ ଇନ୍ ଓଡ଼ିଶା, ଫିପା ଅଣ୍ଡର ୧୭ ୱେମେନ୍ସ ୱାଲ୍ଡ କପ ଓ କଟକ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ପୋଲିସ ଡିଜି ।

Spread the love