୫.୩୦ରେ ମୁଖ୍ୟଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ, ଜାରି ହୋଇପାରେ ରାଜ୍ୟ ସରକାରଙ୍କ ‘ଅନଲକ୍-୨’ ଗାଇଡଲାଇନ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ମାସରେ କୋଭିଡ୍ ମୁକାବିଲାର ରୂପରେଖ କିଭଳି ରହିବ ତାହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ୯ ସୂତ୍ରୀ କାର୍ଯ୍ୟପନ୍ଥା ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାତିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ‘ଅନଲକ୍-୨’ ଗାଇଡଲାଇନ୍ ଜାରି କରାଯାଇଥିଲା। ଏଥିରେ ଜୁନ ମାସରେ ବଳବତ୍ତର ଥିବା ପ୍ରାୟ ସମସ୍ତ କଟକଣାକୁ ପ୍ରାୟତଃ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଓଡ଼ିଶାରେ ଏହା କିଭଳି ଭାବେ ପାଳନ କରାଯିବ ତାହା ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଓଡ଼ିଶାରେ ଜୁଲାଇ ମାସରେ ଜୁନ୍ ଭଳି କଟକଣା ଜାରି ରହିବ ଅଥବା କେତେକ କ୍ଷେତ୍ରରେ କୋହଳ ବଢ଼ିବ ତାହା ଆଜି ମୁଖ୍ୟ ଶାସନ ସଚିବଙ୍କ ଘୋଷଣାରୁ ସ୍ପଷ୍ଟ ହେବ। ରାଜ୍ୟ ସରକାର ଜାରି କରିପାରନ୍ତି ‘ଅନଲକ୍-୨’ ଗାଇଡଲାଇନ୍।

ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବାରୁ କେନ୍ଦ୍ର ସରକାର କଟକଣା ଅବଧିକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ସମୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ସହିତ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ବନ୍ଦ ରହିବ। ମେଟ୍ରୋ ଟ୍ରେନ ଚାଲିବ ନାହିଁ। ସି‌ନେମା ହଲ୍, ସ୍ବିମିଂ ପୁଲ୍, ଥିଏଟର, ବାର ପୂର୍ବ ଭଳି ବନ୍ଦ ରହିବ। ସାମାଜିକ ଓ ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଜାରି ରହିବ। ତେବେ ରାତି କର୍ଫ୍ୟୁ ଅବଧିରେ କୋହଳ କରାଯାଇଛି। ଏହା ଏବେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଏହି ସମୟ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ରହିଥିଲା।

Spread the love