ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତଃ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ । ମନ୍ତ୍ରୀ ସାଂସଦ ତଥା ବିଧାୟକ ଭାବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ଅବଦାନ ରଖିଯାଇଛନ୍ତି । ବିଶେଷକରି ଜଗତସିଂହପୁର ଅଂଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ଦଳର ସାଂଜଠନିକ ଶକ୍ତିକୁ ମଜବୁତ୍ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ସେ କହିଛନ୍ତି ।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ।

Spread the love