ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ରାଜ୍ୟର ଗ୍ରାମାଚଂଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ ପ୍ରକଳ୍ପ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଏହାଦ୍ୱାରା ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ ବୋଲି ଜଣାଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହି ବୃହତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାହାଙ୍ଗା ବ୍ଲକର ୩୭ ଓ ନିଶ୍ଚିତକୋଇଲି ବ୍ଲକର ୬ଟି ପଚାଂୟତରେ ଥିବା ୨୧୧ ଟି ଗ୍ରାମର ଲୋକେ ପାଇପ୍‌ ଯୋଗେ ପାନୀୟଜଳ ପାଇପାରିବେ । ଏହି ଗ୍ରାମ ଗୁଡିକର ପ୍ରତି ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଉଲ୍ଲେଖନୀୟ ଯେ ଏହି ବୃହତ୍ ପ୍ରକଳ୍ପ ଲାଗି ମନ୍ତ୍ରୀ ଶ୍ରୀ ଜେନା ଦୀର୍ଘଦିନରୁ ତାଙ୍କର ଉଦ୍ୟମ ଜାରି ରଖିଥିବାବେଳେ ଅଚଂଳବାସୀଙ୍କ ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ପ୍ରକାଶ ଥାଉକି ରାଜ୍ୟ ସରକାର ଗ୍ରାମାଚଂଳରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ନୀତିଗତ ନିଷ୍ପତି ଗ୍ରହଣ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ମାହାଙ୍ଗାରେ ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଫଳରେ ସମ୍ପୃକ୍ତ ଅଚଂଳର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ । ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ ଉପରୋକ୍ତ ୪୩ ଟି ଗ୍ରାପଚାଂୟତ ଅନ୍ତର୍ଗତ ୨୧୧ ଗ୍ରାମର ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାନୀୟ ଜଳ ପାଇଁ ଦୀର୍ଘ ଦିନ ଧରି ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ । ବର୍ତମାନ ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ସେମାନଙ୍କର ସେହି ଅସୁବିଧାକୁ ଦୁର କରିବା ସହିତ ପାଇପ୍ ଯୋଗେ ନିଜ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ଏଥି ପାଇଁ ମନ୍ତ୍ରୀ ଶ୍ରୀ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love