କରୋନା ମହାମାରୀ ମୁକାବିଲାରେ ସାମିଲ ହେବା ପାଇଁ ସ୍ଵେଚ୍ଛାସେବୀମାନଙ୍କୁ ଆହ୍ୱାନ

ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ ଆଜି ରାଜ୍ୟ ସରକାର ଏକ ୱେବସାଇଟ ଉତ୍ସର୍ଗ କରିଛନ୍ତି। ଏହି ୱେବସାଇଟ ‘www.covidsangramee.odisha.gov.in’କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି।

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରୁଥିବା ବେଳେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିୟ ଅନୁଷ୍ଠାନ ତଥା ସ୍ଵେଚ୍ଛାସେବୀ ସଂଗଠନ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ତେବେ ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କୌଣସି ସଂସ୍ଥା ସହିତ ଜଡିତ ନୁହଁନ୍ତି, ମାତ୍ର ସ୍ଵ-ଇଚ୍ଛାରେ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵେଚ୍ଛାସେବୀମାନଙ୍କୁ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଦେବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏହି ୱେବସାଇଟରେ ଥିବା ଉପଲବ୍ଧ ତଥ୍ୟକୁ ଆଧାର କରି ପଞ୍ଜିକୃତ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିପାରିବେ ।

Spread the love