ଗଞ୍ଜାମରେ ୨ପର୍ଯ୍ୟାୟରେ ୨୩୩ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାମ ଜାରି, ପଞ୍ଚାୟତିରାଜ ଦିବସରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଖଲ୍ଲିକୋଟ ୭/୧୧ : ୫ଟି ଓ ମୋ ସ୍କୁଲ ଯୋଜନାର ଅଧୀନରେ ବଦଳୁଛି ସରକାରୀ ବିଦ୍ୟାଳୟର ଚିତ୍ର । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡିକ ଉନ୍ନତିକରଣ କାର୍ଯ୍ୟ ଚାଲିଛି । ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ୫୦ଟି ବିଦ୍ୟାଳୟ ଉନ୍ନତିକରଣ କାମ ଆରମ୍ଭ କରାଯାଇଥିଲା । ଏହାକୁ ଦେଖିବା ପାଇଁ ରାଜ୍ୟର ଶହେରୁ ଅଧିକ ବିଧାୟକମାନେ ପରିଦର୍ଶନରେ ଆସି ଫେରିଥିଲେ। ଏବେ ଗଞ୍ଜାମ ଜିଲ୍ଲାରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୩୩ଟି ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି । ଏହି ଉନ୍ନତିକରଣ କାମ ଆସନ୍ତା ଫେବୁଆରୀ ମାସରେ ଶେଷ ହେବାର ଲକ୍ଷ ରହିଛି। ଆସନ୍ତା ମାର୍ଚ୍ଚ୫ ତାରିଖ ପଞ୍ଚାୟତରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଗୁଡ଼ିକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଉନ୍ନତିକରଣ କାମ ଯେପରି ଭଲ ଭାବେ ହେବ ସେଥିପାଇଁ ଭିଡିଓ କଲ୍ ମାଧ୍ୟମରେ ୫ଟି ସଚିବ ଭି.କେ.ପାଣ୍ଡିଆନ ପୋଲସରା,ଚିକିଟି,ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡ଼ା, କବିସୂର୍ଯ୍ୟନଗର, ସୋରଡ଼ା ଓ ଗଞ୍ଜାମ ବ୍ଲକର ବିଡିଓ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ପୁରାତନ ଛାତ୍ର ସଂସଦ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ୫ଟି ସଚିବ  ବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ଭବିଷ୍ୟତ ବିଷୟରେ ପଚାରି ବୁଝିଥିଲେ।

ସେହିପରି ବିଦ୍ୟାଳୟର ଜମି ବିବାଦ ଥିଲା । କିନ୍ତୁ ଏହାକୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଦ୍ୟାଳୟକୁ ବିଦ୍ୟୁତ ଯୋଗାଣ ଓ ଭଲ ରାସ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯେଉଁ ବିଦ୍ୟାଳୟରେ ଇଣ୍ଟରନେଟ ଅସୁବିଧା ଓ ଶିକ୍ଷକ/ଶିକ୍ଷୟତ୍ରୀ ଅଭାବ ଅଛନ୍ତି ।  ତାହା ଶୀଘ୍ର ପୁରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ। ଏହି ଭିଡିଓ କନ୍‌ଫେରନ୍ସି ବୈଠକରେ ସରପଞ୍ଚ ମାନେ ବିଦ୍ୟାଳୟର ଉନ୍ନତିକରଣ କାମକୁ ପ୍ରଶଂସା କରିଥିଲେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଡିଆରଡିଏ ଏପିଡି ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ସିଆରସି ରିତା ରଥ, ଛତ୍ରପୁର ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣି ପାଣିଗ୍ରାହୀ ଓ ଛାତ୍ରୀ ଶୁଭଶ୍ରୀ ପାଢ଼ି ଇତ୍ୟାଦି ଉପସ୍ଥିତ ରହିଥିଲେ।

Spread the love