କରୋନା ପରୀକ୍ଷା କରାଇଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡି ଶୁକ୍ରବାର କୋଭିଡ୍‌-୧୯ ପରୀକ୍ଷା କରାଇଛନ୍ତି। ତେବେ ତାଙ୍କ ରେଜଲ୍ଟ ନେଗେଟିଭ୍‌ ଆସିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦକ୍ଷିଣ କୋରିଆରୁ ଲକ୍ଷେ ରାପିଡ୍‌ ଟେଷ୍ଟ କିଟ୍‌ ଆସି ପହଞ୍ଚିବା ପରେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା କରାଯାଇଥିଲା।

ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଏହି ଟେଷ୍ଟିଂ କିଟ୍‌ ଆସିଥିଲା। ଅମରାବତୀସ୍ଥିତ କ୍ୟାମ୍ପ ଅଫିସ୍‌ରେ ଏହି କିଟ୍‌ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଆଲ୍ଲା କାଲି କ୍ରିଷ୍ଣା ଶ୍ରୀନିବାସ ଏବଂ ଡିଜିପି ଗୌଥାନ୍‌ ସାୱଙ୍ଗ ମଧ୍ୟ ଥିଲେ।
ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ କହିବା ଅନୁଯାୟୀ ୧୦ ମିନିଟ୍‌ରେ ଏଥିରେ କରୋନା ପରୀକ୍ଷା କରାଯାଇ ପାରୁଛି। ଏହାଦ୍ୱାରା ରାଜ୍ୟରେ କରୋନା ପରୀକ୍ଷାର ମାତ୍ରା ବୃଦ୍ଧି ପାଇବ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହି କିଟ୍‌ ଜିଲ୍ଲାମାନଙ୍କୁ ପଠାଯିବ। ଏହାପରେ କମ୍ୟୁନିଟି ଟେଷ୍ଟିଂ ଆରମ୍ଭ ହେବ। ଆନ୍ଧ୍ରରେ ଏଯାଏ ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଠାରେ ୩୬ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୧୪ ଜଣଙ୍କ ଜୀବନ ଯାଇଛି।
Spread the love