ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ନବୀନ

ଭୁବନେଶ୍ୱର: ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବୁଧବାର ସାଢେ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିର ସମରଝୋଳରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଜନସଭାରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଏଥି ସହିତ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି।

ନିଜର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଭେଟିବା ପରେ ହିଞ୍ଜିଳିବାସୀଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରତିଟି କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାରୁ ଗୁରୁତ୍ୱ ଦେଉଥିବା ବେଳେ ଅନେକ ‘ମିଶନ’ ଏହିଠାରୁ ଆରମ୍ଭ କରିଥାନ୍ତି। ଏହି ଦୃଷ୍ଟିରୁ ୨୦୨୪ ନିର୍ବାଚନର ପ୍ରଥମ ପ୍ରଚାର ସେ ନିଜ ପ୍ରତିନିଧିତ୍ୱ ଜିଲ୍ଲା ଗଞ୍ଜାମରୁ ଆରମ୍ଭ କରିଛନ୍ତି। ଗତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୧୪ ବିଧାନସଭା ଆସନ ମଧ୍ୟରୁ ୧୩ଟିରେ ବିଜେଡି ବିଜୟୀ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ୬୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହିଞ୍ଜିଳିରୁ ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନରେ ବିଜେଡି ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ସହ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବା ସହ ବିଜୟ ବ୍ୟବଧାନ ବୃଦ୍ଧି ନିମନ୍ତେ ରଣକୌଶଳ ପ୍ରସ୍ତୁତ କରିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ସେହିଦିନ ତାରାତାରିଣୀଙ୍କ ଦର୍ଶନ କରିବେ ଓ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ସେହିପରି ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁର୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍‌‌ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍‌‌ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ଓଡ଼ିଶା’ ଓ ‘୫-ଟି’ ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ।

Spread the love