କର୍ଲାପାଟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜାତୀୟସ୍ତରର ବିଶେଷଜ୍ଞମାନଙ୍କ ପରାମର୍ଶ ନେବାକୁ କହିଲେ ମୁଖ୍ୟମନ୍ତ୍ରୀ

ବୈଠକରୁ ଜଣାଯାଇଥିଲା ଯେ, କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ ପାଷ୍ଟେୟୁରେଲା ମଲ୍ଟୋସିଡା ନାମକ ଏକ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇ ହେମୋରାଜିକ୍ ସେପ୍ଟିସେମିଆ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି ।ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍‌ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡ଼ିକର ବିଶୋଧନ କରାଯାଉଛି। ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍‌ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍‌ ଗଠନ କରାଯାଇଛି । ଜଙ୍ଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି । ଅଭୟାରଣ୍ୟ ଓ ତାର ଆଖପାଖ ଗାଁ ଗୁଡିକରେ ଗୃହପାଳିତ ପଶୁଗୁଡିକର ଟୀକାକରଣ କରାଯାଉଛି।

ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ଆଇଜି ଏବଂ ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନିର୍ଦ୍ଦେଶକଙ୍କୁ ଓଡ଼ିଶାକୁ ଏକ ଟିମ୍‌ ପଠାଇ ପ୍ରତିରୋଧକ ବ୍ୟବସ୍ଥା ଓ ପରାମର୍ଶ ପାଇଁ ଅନୁରୋଧ କରାଯାଇଛି ।ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିଲେ । କଳାହାଣ୍ଡିରୁ ପିିସିସିଏଫ ଏବଂ ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ ।

Spread the love