ସମ୍ବଲପୁର ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୯୪୮ କୋଟି ଟଙ୍କାର ୨୫ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 
-୫୭ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୧୪ ପ୍ରକଳ୍ପ ଉଦ୍‌ଘାଟନ
-୮୯୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୧୧ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
ସମ୍ବଲପୁର  : ସମ୍ବଲପୁରକୁ ଦୁଇଦିନିଆ ଗସ୍ତରେ ଆସି ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୁର୍ଲା ପିଏମ୍‌ଶ୍ରୀ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୯୪୮ କୋଟି ଟଙ୍କାର ୨୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତନ୍ମଧ୍ୟରେ ୫୭ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୧୪ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୮୯୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିରେ ସଡ଼କ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାଷଣ ରଖି କହିଲେ ଯେ, ସମ୍ୱଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଏସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏହି ସମସ୍ତ ପ୍ରକଳ୍ପ ସମ୍ୱଲପୁର ଜିଲ୍ଲାରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ । ଆଗାମୀ ଦିନରେ ଏସବୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହରର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଦର୍ଶନୀୟ ସ୍ଥାନ ଭାବେ ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ ସହିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ କାମ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁଃପାଶ୍ୱର୍ର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା ସହିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍ ଜୋନ୍‌, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ କେବଳ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନାରେ ୧୬୦ କୋଟି ଟଙ୍କା ବିନିଯୋଗରେ ମହାନଦୀ କୂଳର ମନ୍ଦଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ବିକାଶ କାମ ହାତକୁ ନିଆଯାଇଛି । ଏଥିରେ ପାର୍କ, ଜିମ୍‌, ସେଲ୍ଫି ପଏଣ୍ଟ, ସ୍ନାନ ଘାଟ, ଆରତୀ ଘାଟ, ସପିଙ୍ଗ୍ କମ୍ପେ୍ଲକ୍ସ, ଶୌଚାଳୟ ଓ ପାର୍କିଂ ଆଦିର ବିକାଶ କରାଯିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ୱଲପୁର ଜିଲ୍ଲାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଗମନାଗମନ ଇତ୍ୟାଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି । ସମୃଦ୍ଧ ଓଡ଼ିଶା ସୃଷ୍ଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି ଆଦି ସବୁକ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସମାଜର ଶେଷଧାଡ଼ିରେ ରହୁଥିବା ଭାଇଭଉଣୀ ମାନଙ୍କୁ ଯେପରି ସବୁପ୍ରକାର ମୌଳିକ ସୁବିଧା ଉପଲବ୍ଧ ହେବ, ସେଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି ବୋଲି ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଧବ, ପୋଲିସ ଆଇଜି ହିମାଂଶୁ ଲାଲ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ୱଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love