ଜୁଲାଇରୁ ବିଜୁଳି ବିଲ ଛାଡ଼, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ ଜନତା ଉଚ୍ଛ୍ୱସିତ ସ୍ୱରରେ ବହୁତ ଭଲ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା । କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିରୋଧି ଦଳର ନେତାମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ଶାଣିତ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ଆପଣ ଏ ଅଞ୍ଚଳ ପାଇଁ, ମହାନଦୀ ପାଇଁ ମା ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ । ସମ୍ୱଲପୁରୀ ଶାଢ଼ୀ ଏ ଅଞ୍ଚଳର ମୁଖ୍ୟ ପରିଚୟ । ସମ୍ୱଲପୁରୀ ଶାଢ଼ୀର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାଭୂମିଠାରେ ମ୍ୟୁଜିୟମ୍‍ କରିଛନ୍ତି । ସେ କ’ଣ କରିଛନ୍ତି ? ସମ୍ୱଲପୁରୀ ଶାଢ଼ୀ ଡିଜାଇନରେ ଭୁବନେଶ୍ୱର ଠାରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି । ଏହି ଭବନ ସାରା ବିଶ୍ୱରେ ଏକ ନମ୍ୱର ହୋଇ ଆୱାର୍ଡ ପାଇଛି, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ୱଲପୁରୀ ଶାଢ଼ୀ ପାଇଁ । ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ଉନ୍ନତି ପାଇଁ ଗୁଡ଼ାଏ ପ୍ୟାକେଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ? ଚାହିଁଥିଲେ ଟେକ୍‍ସଟାଇଲ ପାର୍କ କରିପାରିଥାନ୍ତେ ? ରପ୍ତାନୀ ପାଇଁ ଉଦ୍ୟମ କରିପାରିଥାନ୍ତେ । କିଛି କଲେ ନାହିଁ । ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଂଗାଧର ମେହେର, ପାର୍ବତୀ ଗିରିଙ୍କ ପରି ବରପୁତ୍ରମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି ? ଆମ ସରକାର ଏହି ବରପୁତ୍ରମାନଙ୍କ ସ୍ମୃତି ପୀଠର ଉନ୍ନତି କରୁଛନ୍ତି । ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି ।

Spread the love