‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ

ବୁଧବାର ୭୪ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗଲା ଫନି ବାତ୍ୟା ଯୋଗୁ ଉପକୂଳ ଓଡ଼ିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଲାଗି ନବୀନ ଏଥର ବି ଜନ୍ମଦିନ ନିରାଡମନ୍ବର ପାଳନ କରିଛନ୍ତି। ସେ ଜନ୍ମ ଦିନ ପାଳିବେନି ବୋଲି ପୂର୍ବରୁ ଜଣାଇ ଦେଇଥିଲେ। ଏଣୁ ନବୀନ ନିବାସ ଆସିବାକୁ ନେତା ଓ କର୍ମୀଙ୍କୁ ବାରଣ କରାଯାଇଥିଲା।   ତେବେ ଆଜିର ଦିନରେ ବିଜେଡି ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଜନ୍ମଦିନରେ ୬୦ଟି ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ହୋଇଥିବା ବେଳେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।  ଜନ୍ମଦିନ ଅବସରରେ ଦଳୀୟ କାର୍ଯ୍ୟାଳୟକୁ ଯାଇ ନବୀନ ସେଠାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ଗୋଲାପ ଫୁଲ ଓ ସାର୍ଟିଫିକେଟ୍‌ ପ୍ରଦାନ ପୂର୍ବକ  ଉତ୍ସାହିତ କରିଥିଲେ। ନବୀନଙ୍କ ଜନ୍ମଦିନ ଅବସରରେ ଅନୁଷ୍ଠିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବୁଧବାର ଗୋଟିଏ ଦିନରେ ୧୨ହଜାର ୩୨୫ୟୁନିଟ୍ ରକ୍ତ ସଂଗ୍ରୁହୀତ ହୋଇଥିବା ଜଣାପଡିଛି।  ନିରାଡ଼ାମ୍ବର, ସରଳ ଜୀବନ ଶୈଳୀ ତଥା ସ୍ବଚ୍ଛ ଭାବମୂର୍ତ୍ତି ଲାଗି ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।  ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ସାମାନ୍ୟ ମଳିନ ବି ପଡିନି। ଏଣୁ ଜନ୍ମଦିନରେ ନବୀନ ନିବାସ ମନା ହୋଇଥିଲେ ବି ଦଳ ସଭାପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଦଳୀୟ କାର୍ଯ୍ୟାଳୟରେ ବିଜେଡି ନେତା ଓ କର୍ମୀଙ୍କ ଭିଡ଼ ଜମିଥିଲା । ରାଜନୀତିରେ ଅଜାତଶତ୍ରୁ, ପ୍ରଶାସନିକ କ୍ଷେତ୍ରରେ ଦକ୍ଷତା ଓ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପ୍ରୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀଙ୍କ ପାଖରେ ରାଜନୀତିରୁ ଉର୍ଦ୍ଧ୍ବରେ ରଖେ ବୋଲି ଅନେକ ଶୁଭେଚ୍ଛୁ କହିଛନ୍ତିl

Spread the love