ବାତ୍ୟା ‘ୟାସ୍’ ସ୍ଥିତିର ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨୭।୫: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଝାଡଖଣ୍ଡରେ ପହିଞ୍ଚିଛି । ‘ୟାସ୍’ ସିନା ଓଡିଶା ଛାଡିଛି କିନ୍ତୁ ପ୍ରଳୟର ପଦଚିହ୍ନ ଛାଡି ଯାଇଛି । ବାତ୍ୟା ପରର ଦୁର୍ଦ୍ଦଶା ବଢିଯାଇଛି । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି ।

ଏଭଳି ପରିସ୍ଥିତିରେ ଗୁରୁବାର ବାତ୍ୟା ‘ୟାସ୍’ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଏରିଏଲ ସର୍ଭେ କରିବେ ବୋଲି ସୂଚନା ରହିଛି । ଆକାଶମାର୍ଗରୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଖିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୧୨ଟା ୩୦ମିନିଟରେ ହେଲିକାପ୍ଟର ଯୋଗେ ଏରିଏଲ୍ ସର୍ଭେ ପାଇଁ ମୁଖ୍ୟମନ୍ତ୍ରୀ ବାହାରିବେ ବୋଲି ଜଣାପଡିଛି ।

ବାତ୍ୟା ‘ୟାସ୍’ ଯୋଗୁଁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗଛ ପଡିଛି । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି । ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି ।

Spread the love