ଅନୁଗୋଳକୁ ୧୮୦୫ କୋଟି ଟଙ୍କାର ଭେଟି, ବିଭିନ୍ନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଅନୁଗୋଳକୁ ୧୮୦୫ କୋଟି ଟଙ୍କାର ଭେଟି । ଆଜି ଅନୁଗୋଳ ଗସ୍ତରେ ଯାଇ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୫୪୧ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ୨୪୨ କୋଟିର ଋଣ ଓ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ବହୁ ପ୍ରତୀକ୍ଷିତ ଅନୁଗୋଳ ବସ୍ଷ୍ଟାଣ୍ଡର ଶୁଭାରମ୍ଭ କରିଛନ୍ତି ନବୀନ । ପାଳଲହଡ଼ାରେ ଡାକ୍ତରଖାନାର ଉଦ୍ଘାଟନ ସହ ତାଳଚେର ପୌରପାଳିକାରେ ହେରିଟେଜ୍ କରିଡରର ଶୁଭାରମ୍ଭ କରିଛନ୍ତି । ଏହାପରେ ଅନୁଗୋଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନୁଗୋଳ ମାଟି ସେବା ଓ ସଂଗ୍ରାମର ଭୂମି। ଶିଳ୍ପକ୍ଷେତ୍ରରେ ସାରା ଦେଶରେ ଅନୁଗୋଳ ଜିଲ୍ଲା ଆଗୁଆ । ବିକାଶ ହେଉଛି ଅନୁଗୋଳର ସବୁଠୁ ବଡ଼ ପରିଚୟ । ମାଆ ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଇଛି ।
ମିଶନଶକ୍ତିର ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ମିଶନ ଶକ୍ତି ମୋର ପ୍ରିୟ କାର୍ଯ୍ୟକ୍ରମ । ଆଗାମୀ ଦିନରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା। ଜିଲ୍ଲାରେ ୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି କହିଛନ୍ତି ନବୀନ । ୩୫୦କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୪୮ ପଞ୍ଚାୟତର ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ। BSKYରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ରାଜ୍ୟ ବାହାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।