ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ, ୨୧ଟି ପ୍ରକଳ୍ପକୁ ୧୫୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଉପହାର। ଜିଲ୍ଲାର ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ। ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ଗାଁକୁ ଯୋଗାଯୋଗ କ୍ଷେତ୍ର ବିକାଶ କରିବାକୁ ରାସ୍ତା ନିର୍ମାଣ କରିବାରୁ ୨୧ଟି ପ୍ରକଳ୍ପକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ 5T ସଚିବ ଭିକେ ପାଣ୍ଡିଆନଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା। ସମସ୍ୟାର ସମାଧାନ ସହ ଖୁବଶୀଘ୍ର ଅର୍ଥ ମଞ୍ଜୁର ପାଇଁ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ। ଜିଲ୍ଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
୧୫୮ କୋଟି ଟଙ୍କା ବ୍ୟୟରେ ମାଲକାନଗିରିର ୧୭୨ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯିବ। ଏହାଦ୍ଵାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ। ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ।

ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ। ଚିତ୍ରକୋଣ୍ଡା ବ୍ଲକରେ ମୁଦୁଲିଗୁଡ଼ା ଠାରୁ ଅମଲିବେଡା ପର୍ଯ୍ୟନ୍ତ ୩୨କିମି ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା। ସେହିପରି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପୋଲୁର ଠାରୁ କୁର୍ସନପାଲି ପର୍ଯ୍ୟନ୍ତ ସାଢେ ୧୧ କିମି ରାସ୍ତା ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବ ।

Spread the love