ଜ୍ବିଗାଟୋ ଚଳଚ୍ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା (screening) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନନ୍ଦିତା ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜ୍ବିଗାଟୋର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି । ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ କିଟ ବିଶ୍ବବିଦ୍ୟାଳୟ ସମେତ ଭୁବନେଶ୍ୱରର ଅନେକ ସ୍ଥାନରେ ହିଁ ସୁଟିଂ କରାଯାଇଛି ।

ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏତଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love