ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଦେବଦୂତ ସାଜି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ଜୁନ୍‌ ୨ ତାରିଖ ଦିନ ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦେବଦୂତ ସାଜି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସମାଜରେ ସେବା ଓ ବଳିଦାନକୁ ହୃଦବୋଧ କରିବାର ଦିନ। ସେବା ଓ ପରୋପକାର ସବୁଠୁ ବେଶୀ ଆତ୍ମସନ୍ତୋଷ ଦେଇଥାଏ। ମୁଖ୍ୟମନ୍ତ୍ରୀ ଆଜି ଅଙ୍ଗଦାନକାରୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ବାହାନଗା ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଦୁର୍ଘଟଣା ପରେ ବାହାନଗାବାସୀ ଓ ଉଦ୍ଧାରକାରୀ ଦଳ ଯେଉଁଭଳି ସେବା କରିଥିଲେ ତାହା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଦୁର୍ଘଟଣା ସମୟରେ ସ୍ମୃତିଚାରଣ କରିଥିଲେ ବାଲେଶ୍ବର ଜିଲ୍ଲାପାଳ। ସ୍ଥାନୀୟ ଲୋକଙ୍କର ନିସ୍ବାର୍ଥପର ସେବା ଓ ପ୍ରଶାସନକୁ ସେ ପ୍ରଶଂସା କରିଥିଲେ। ସ୍ୱେଚ୍ଛାସେବୀମାନେ ମଧ୍ୟ ଦୁର୍ଘଟଣାର ସ୍ମୃତିଚାରଣ କରିଥିଲେ।

ବାହାନଗା ଦୁର୍ଘଟଣା ପାଇଁ ଓଡ୍ରାଫ, ଏନ୍‌ଡିଆରଏଫ୍‌, ୧୦୮ ଆମ୍ବୁଲାନ୍ସ, ଏମ୍ସ ଭୁବନେଶ୍ବର, ଏସ୍‌ସିବି କଟକ, ବିଏମ୍‌ସି ଭୁବନେଶ୍ବର, ଦମକଳବାହିନୀ, ବାଲେଶ୍ବର ଜିଲ୍ଲାପାଳ, ଏସ୍‌ପି, ଫକୀର ମୋହନ ମେଡିକାଲ କଲେଜ, ଉତ୍ତର ଓଡ଼ିଶା ଚାମ୍ବର ଅଫ୍‌ କମର୍ସ, ଅନ୍ୟ ସଂଗଠନ, ସାମାଜିକ କର୍ମୀ ଓ ବ୍ୟକ୍ତିଗତ ସ୍ବେ‌ଚ୍ଛାସେବୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ, ୫-ଟି ସଚିବ ଭିକେ ପାଣ୍ଡିଆନ, ଏସ୍‌ଆରସି ସତ୍ୟବ୍ରତ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Spread the love