ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ.କେ ପାଲାନିସ୍ୱାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନସିଂ ଯୋଗ ଦେଇଥିଲେ ।

ଲକ୍ ଡାଉନ୍ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସି ପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପାଲାନିସ୍ୱାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ଏ ଦିଗରେ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଲାନିସ୍ୱାମୀ ପ୍ରତିଶୃତି ଦେଇଥିଲେ ।

ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଥିଲେ ଏବଂ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

Spread the love